ହାଇଦ୍ରାବାଦ: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ବଲିଉଡରେ ଧମାଲ କରିବା ପରେ ଏବେ ସଲମାନ ଖାନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଧୁମ ମଚାଇବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ, ସଲମାନ ଖାନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜୀବୀଙ୍କ ଆଗାମୀ ଚଳଚ୍ଚିତ୍ର 'ଗଡଫାଦର'ରୁ ଦକ୍ଷିଣ ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି । ଚିରଞ୍ଜୀବୀ ସଲମାନ ଖାନଙ୍କୁ ଫିଲ୍ମ 'ଗଡଫାଦର'ରେ ଅଭିନୟ କରିବାକୁ ସ୍ୱାଗତ କରିଛନ୍ତି। ଚିରଞ୍ଜୀବୀ ଏକ ଟୁଇଟ୍ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି।
ମୋହନ ରାଜା ଫିଲ୍ମ 'ଗଡଫାଦର'ର ନିର୍ଦ୍ଦେଶନା ଦେଉଛନ୍ତି। 'ଗଡଫାଦର' ହେଉଛି ସୁପରହିଟ୍ ମାଲାୟାଲମ୍ ଚଳଚ୍ଚିତ୍ର 'ଲୁସିଫର୍'ର ତେଲୁଗୁ ରିମେକ୍ । ପୂର୍ବରୁ ଖବର ଆସିଥିଲା ଯେ ସଲମାନ ଖାନ ବନ୍ଧୁ ଚିରଞ୍ଜୀବୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଡଫାଦର'ରେ ଏକ କ୍ୟାମୋ କରିବେ। ବୁଧବାର (ମାର୍ଚ୍ଚ 16), ଚିରଞ୍ଜୀବୀ ଏହି ଖବରରେ ମୋହର ମାରିଛନ୍ତି । ଚିରଞ୍ଜୀବୀ ଫିଲ୍ମ 'ଗଡଫାଦର'ରେ ସଲମାନ ଖାନଙ୍କୁ ସ୍ୱାଗତ କରି ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟରେ ଅଭିନେତା ସଲମାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।
ଚିରଞ୍ଜୀବୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ଗଡଫାଦରରେ ଆସିବା ପାଇଁ ଆପଣଙ୍କୁ ସ୍ବାଗତ ଭାଇ, ଆପଣଙ୍କ ଆଗମନରେ ଚଳଚ୍ଚିତ୍ରରେ ଯୋଶ୍ ଭରିଯିବ ଏବଂ ମୁଁ କହିପାରିବି ନାହିଁ ମୁଁ କେତେ ଉତ୍ସାହିତ ଅଛି, ଆପଣଙ୍କ ସହିତ ସ୍କ୍ରିନ୍ ସେୟାର କରିବା ପ୍ରକୃତରେ ମଜାଦାର ଅଟେ’।