ଓଡିଶା

odisha

By ETV Bharat Odisha Team

Published : Dec 9, 2023, 9:35 AM IST

ETV Bharat / international

ଗାଜାରେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ; ଭିଟୋ ପ୍ରୟୋଗ କଲା ଆମେରିକା

US Vetoes UN Ceasefire Resolution: ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଖାରଜ । ଭିଟୋ ପ୍ରୟୋଗ କରି ଏହାକୁ ଖାରଜ କଲା ଆମେରିକା । ଅଧିକ ପଢନ୍ତୁ

ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବ ଖାରଜ
ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବ ଖାରଜ

ୱାଶିଂଟନ: ଦୀର୍ଘ ଦୁଇ ମାସ ହେଲାଣି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଶ୍ମଶାନ ପାଲଟିଛି ଗାଜା । ହଜାର ହଜାର ସଂଖ୍ୟାରେ ଶିଶୁ ଓ ନାଗରିକଙ୍କ ମୃତ୍ୟୁ ହେଉଛି । ତେଣୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ସପକ୍ଷରେ ପ୍ରାୟ ସବୁ ରାଷ୍ଟ୍ର ଭୋଟ୍ ଦେଇଥିଲେ । ହେଲେ ଆମେରିକା ନିଜର ଭିଟୋ ପାୱାର ପ୍ରୟୋଗ କରି ଗାଜା ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଦେଇଛି । ଏହାଦ୍ବାରା କେବଳ ହମାସ୍‌କୁ ଫାଇଦା ହେବ କହି ଭିଟୋ ଲଗାଇଛି ଆମେରିକା । ଏହାକୁ ୟୁଏଇ ଏବଂ ପାଲେଷ୍ଟାଇନ କଡା ନିନ୍ଦା କରିଛି ।

ସୂଚନା ମୁତାବକ, ଇସ୍ରାଏଲ ଓ ହମାସ୍ ମଧ୍ୟରେ ଅସ୍ତ୍ରବିରତି ପାଇଁ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ) ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଦେଇଥିଲା । ୧୫ ଦେଶ ମଧ୍ୟରୁ ୧୩ଟି ଦେଶର ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ଏକମାତ୍ର ଦେଶ ବ୍ରିଟେନ ଭୋଟରୁ ବିରତ ରହିଥିଲା । ହେଲେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଉକ୍ତ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଥିଲା । ଏହାକୁ ନେଇ ଜାତିସଂଘରେ ଥିବା ଆମେରିକାର ଉପରାଷ୍ଟ୍ରଦୂତ ରର୍ଟଟ ଉଡ୍ କହିଥିଲେ, ''ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଦ୍ବାରା ହମାସ୍‌କୁ ଶାସନର ସୁଯୋଗ ମିଳିବ । ଏହା ପରବର୍ତ୍ତୀ ଯୁଦ୍ଧ ପାଇଁ ମଞ୍ଜି ବୁଣିବ ।'' ଏଥିସହ ହମାସ୍ ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଥିବା ଜାତିସଂଘ ସୁରକ୍ଷା ପରିଷଦକୁ ଉଡ୍ ସମାଲୋଚନା କରିଛନ୍ତି ଏବଂ ଯୁଦ୍ଧ ପାଇଁ ହମାସକୁ ଦାୟୀ କରି ଆତ୍ମରକ୍ଷା ପାଇଁ ଇସ୍ରାଏଲକୁ ସ୍ବୀକୃତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହମାସ-ଇସ୍ରାଏଲ ଯୁଦ୍ଧରେ ଇସ୍ରାଏଲ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଶହୀଦ

ସେ ଆହୁରି କହିଛନ୍ତି ଯେ, ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ ନାଗରିକ ଶାନ୍ତି ଓ ସୁରକ୍ଷାରେ ରହିବା ପାଇଁ ଆମେରିକା ଦୀର୍ଘସ୍ଥାୟୀ ଶାନ୍ତି ପ୍ରସ୍ତାବକୁ ସମର୍ଥନ କରୁଛି । କିନ୍ତୁ ଏଭଳି ସାମୟିକ ଅସ୍ତ୍ରବିରତି ଆହ୍ବାନକୁ ଆଦୌ ସମର୍ଥନ କରିବ ନାହିଁ କାରଣ ଏହା କେବଳ ପରବର୍ତ୍ତୀ ଯୁଦ୍ଧର କାରଣ ହେବ । ଏହି ଅସ୍ତ୍ରବିରତି ପ୍ରସ୍ତାବ ବାସ୍ତବିକତା ଠାରୁ ଭିନ୍ନ । ତେଣୁ ଭିଟୋ ପ୍ରୟୋଗ କରି ଏହାକୁ ଖାରଜ କରିଥିବା ଆମେରିକା କହିଛି

ଆମେରିକାର ଏଭଳି ଯୁଦ୍ଧ ଆଭିମୁଖ୍ୟକୁ ସମାଲୋଚନା କରିଛି ୟୁଏଇ । ୟୁଏଇର ଉପରାଷ୍ଟ୍ରଦୂତ ମହମ୍ମଦ ଅବୁସାହାବ କହିଛନ୍ତି, ଯଦି ଆମେ ଗାଜା ଉପରେ ଲାଗାତର ବୋମା ବିସ୍ଫୋରଣ ରୋକିବାକୁ ଏକଜୁଟ ନହୋଇପାରିବା, ତାହେଲେ ପାଲେଷ୍ଟାଇନବାସୀଙ୍କୁ କ'ଣ ବାର୍ତ୍ତା ଦେବା ? ତା' ସହିତ ସମଗ୍ର ବିଶ୍ବର ନାଗରିକଙ୍କ ପାଖକୁ କ'ଣ ବାର୍ତ୍ତା ପହଞ୍ଚିବ, ଯେଉଁମାନେ କେବେ ବି ଏଭଳି ସମାନ ସ୍ଥିତିର ସାମ୍ନା କରିବେ ? ପାଲେଷ୍ଟାଇନ ମଧ୍ୟ ଆମେରିକାର ଭିଟୋକୁ କଡା ନିନ୍ଦା କରିଛି ।

ତେବେ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଦୁଇ ମାସ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧର ବୈଶ୍ବକ ପ୍ରଭାବ ସମ୍ପର୍କରେ ସୁରକ୍ଷା ପରିଷଦକୁ ଚେତାଇଥିଲେ ଏବଂ ଏହାକୁ ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅପିଲ୍ କରିଥିଲେ । ଏହାପରେ ସୁରକ୍ଷା ପରିଷଦ ପ୍ରସ୍ତାବ ଆଗତ କରାଯାଇ ମତଦାନ ହୋଇଥିଲା ।

ABOUT THE AUTHOR

...view details