ଆନଣ୍ଟାନାରିଭୋ: ଆଫ୍ରିକୀୟ ଦେଶ ମାଡାଗାସ୍କାରର ଏକ ଷ୍ଟାଡିୟମରେ ଦଳାଚକଟା ହୋଇଛି । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଦଳଚକଟା ହେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 80 ଜଣ ଆହତ ହୋଇଛନ୍ତି । ଶୁକ୍ରବାର କିଆଞ୍ଜା ବାରିଆ ମହାମାସିନା ଷ୍ଟାଡିୟମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନୀ ସେରିମନି ଦେଖିବାକୁ ଷ୍ଟାଡିୟମ ଭିତରକୁ ଏକା ସାଙ୍ଗରେ 50 ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପ୍ରବେଶ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି ।
ମାଡାଗାସ୍କାର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ ନଟସେ (Christian Ntsay) ଆନଣ୍ଟାନାରିଭୋ ଏକ ଡାକ୍ତରଖାନାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କର ମୃତ ହୋଇଥିବା ବେଳେ 80 ଜଣ ଆହତ ହୋଇଛନ୍ତି । ମାଡାଗାସ୍କାରରେ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଆୟୋଜନ କରାଯାଇଛି । 1977 ମସିହାରୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ଏହା ଆରମ୍ଭ ହୋଇଥିଲା । ଏଥିରେ ମରିସିଅସ୍, ସିସେଲ୍ସ, କୋମୋରୋସ୍, ମାଡାଗାସ୍କର, ମାୟୋଟ, ରେୟୁନିଅନ୍ ଏବଂ ମାଲଦ୍ୱୀପର ଆଥଲେଟ୍ସମାନେ ସାମିଲ ହୋଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ-ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଦଳାଚକଟା, ୯ ମୃତ ଏକାଧିକ ଆହତ