ମେକ୍ସିକୋ ସିଟି:ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲା ଯାତ୍ରୀବାହୀ ବସ । 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 27 ଜଣ ଆହତ ହୋଇଥିବା ସୂଚନା ମିଳିଛି । ମେକ୍ସିକୋର ଓକ୍ସାକା ରାଜ୍ୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଦୁଇ ଜଣ ମହିଳା ରହିଛନ୍ତି । ଅଧିକାଂଶ ମୃତ ଯାତ୍ରୀ ପ୍ରବାସୀ ହୋଇଥିବା ବେଳେ ସେମାନେ ଭେନେଜୁଏଲା ଏବଂ ହାଇତିର ହୋଇଥିବା ଓକ୍ସାକା ଆଟର୍ଣ୍ଣି ଜେନେରାଲ ସୂଚନା ଦେଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ ମେକ୍ସିକୋରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, 10 ମୃତ
କର୍ତ୍ତୃପକ୍ଷକଙ୍କ ଦ୍ବାରା ଫେସବୁକରେ ଦୁର୍ଘଟଣାର ଏକ ଫୋଟ ସେୟାର କରାଯାଇଛି । ଯେଉଁଥିରେ ବସଟି ଦୁର୍ଘଟଣା ପରେ ପୁରାପୁରି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ବସ ଦୁର୍ଘଟଣାର ଶିକାର ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ସମୟ ସକାଳ 5ଟା ସମୟରେ ଦୁର୍ଘଟଣା ଘଟିଥିବା ଏକ ଗଣମାଧ୍ୟମ ରିପୋର୍ଟ କରିଛି । ତେବେ ବସଟି କେଉଁ ସ୍ଥାନକୁ ଯାଉଥିଲା ଓ ଏଥିରେ ମୋଟ କେତେ ଯାତ୍ରୀ ଥିଲେ ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।