ହାଇଦ୍ରାବାଦ: ସର୍ବିଆର ଏକ ସ୍କୁଲରେ ନିଜ ଶିକ୍ଷକ ଓ ସହପାଠୀଙ୍କ ଉପରେ ଅତର୍କିତ ଗୁଳି ଚଳାଇଛି ଜଣେ ଛାତ୍ର । ଏଥିରେ 8 ଛାତ୍ରଛାତ୍ରୀ ଓ ଜଣେ ସୁରକ୍ଷା ଗାର୍ଡଙ୍କ ମିଶାଇ ମୋଟ 9ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ଶିକ୍ଷକ ମଧ୍ୟ ଗୁଳିମାଡରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବେଲଗ୍ରେଡରେ ଥିବା ଏକ ସ୍କୁଲ ପରିସରରେ ଆଜି ଏହି ଘଟଣା ଘଟିଛି । ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯାଇଛି । ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାର ବୟସ ମାତ୍ର 16 ବର୍ଷ ହୋଇଥିବା ପୋଲିସ କହିଛି ।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଛାତ୍ରଜଣଙ୍କ ଉକ୍ତ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛି । ହେଲେ ହଠାତ ଆଜି କ୍ଲାସ ଚାଲିଥିବା ବେଳେ ପିସ୍ତଲ ବାହାର କରି ଶିକ୍ଷକଙ୍କ ଉପରେ ଗୁଳିମାଡ କରିଥିଲା । ପରେ ସେ କ୍ଲାସରୁମରେ ଥିବା ନିଜ ସହପାଠୀଙ୍କ ମଧ୍ୟରେ ଅନ୍ଧାଧୂନ ଗୁଳି ଚଳାଇଥିଲା । ଏଥିରେ କ୍ଲାସରେ ଥିବା 8 ଛାତ୍ର ଓ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ପୋଲିସ ସ୍କୁଲରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ସ୍କୁଲକୁ ଖାଲି କରାଯିବା ସହ ସାମୟିକ ବନ୍ଦ ମଧ୍ୟ ରଖାଯାଇଛି । ହେଲେ ଅଭିଯୁକ୍ତ ନାବାଳକ ଜଣକ କାହିଁକି ଏପରି କଲା, ସେ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି ।