ବେଜିଂ: କୋରୋନା ଭାଇରସ ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବାବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଚୀନକୁ ଆମଦାନୀ ହୋଇଥିବା ସାମୁଦ୍ରିକ ମାଛର ପ୍ୟାକିଂରୁ କୋରୋନା ଭାଇରସ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ପ୍ୟାକିଂ ହୋଇଥିବା ମାଛର ବାହ୍ୟ ଆବରଣରୁ ଜୀବନ୍ତ କୋରୋନା ଭାଇରସ ଚିହ୍ନଟ ହୋଇଥିବା ଏକ ବିବୃତ୍ତିରେ କହିଛନ୍ତି ।
ଏହାସହ ଚିହ୍ନଟ ଜୀବନ୍ତ ଭାଇରସକୁ ମଧ୍ୟ ପ୍ୟାକିଂରୁ ଆଲଗା କରାଯାଇଛି । ଏଭଳି ଘଟଣା ବିଶ୍ବରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି) କେନ୍ଦ୍ର ବିବୃତ୍ତିରେ କହିଛି । ସହରରେ ଏବେ ସଂକ୍ରମଣର ସ୍ଥିତି ଜାଣିବା ପାଇଁ ଅନୁସନ୍ଧାନ କରାଯାଇ ଥିବାବେଳେ ଏହା ଚିହ୍ନଟ ହୋଇଛି । ଏଥିରୁ ଏହା ପ୍ରମାଣିତ ହୋଇଛି ଯେ ଜୀବନ୍ତ ଭାଇରସ ସଂକ୍ରମଣ ବ୍ୟାପିବାର ଏକ କାରଣ ହୋଇପାରେ ବୋଲି ସିଡିସି କହିଛି । ତେବେ ଏହି ବିବୃତ୍ତିରେ ପ୍ୟାକେଜ୍ କେଉଁଠାରୁ ଆମଦାନୀ ହୋଇଥିଲା ସେହି ଦେଶ ଉଲ୍ଲେଖ କରାଯାଇ ନାହିଁ ।