ସାନ ଫ୍ରାନ୍ସିସ୍କୋ : ବିଶ୍ବରେ କୋରୋନା ସଂକ୍ରମଣ କ୍ରମାଗତ ଭାବରେ ବଢିବାରେ ଲାଗିଛି । ଏପରି ସ୍ଥଳେ କୋରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଭେଣ୍ଟିଲିଟରର ଆବଶ୍ୟକତା ବହୁଳ ମାତ୍ରାରେ ଜରୁରୀ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବୃହତ ଗାଡ଼ି ନିର୍ମାତା ଫୋର୍ଡ ମୋଟର କମ୍ପାନୀ 50 ହଜାର ଭେଣ୍ଟିଲିଟର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା 100 ଦିନ ମଧ୍ୟରେ ଆମେରିକାର ମିଚିଗାନର ରାୱସନଭିଲ୍ ପ୍ଲାଣ୍ଟରେ 50,000 ଭେଣ୍ଟିଲେଟର ତିଆରି କରାଯିବ ।
"GE / Airon Model A-E" ନାମକ ଏକ ସରଳୀକୃତ ଭେଣ୍ଟିଲେଟର ଉତ୍ପାଦନ ପାଇଁ ଫୋର୍ଡ GE ହେଲ୍ଥ କେୟାର ସହିତ ସହଭାଗିତା କରିଛି ।
ଫୋର୍ଡର ସଭାପତି ତଥା ସିଇଓ ଜିମ ହ୍ୟାକେଟ୍ ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ, ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ଫୋର୍ଡ ଏବଂ ଜି ହେଲ୍ଥ କେୟାର ଟିମ ଏହି ଅତି ଆବଶ୍ୟକୀୟ ଭେଣ୍ଟିଲେଟରକୁ ଶୀଘ୍ର ପ୍ରସ୍ତୁତ କରିବେ ।
ଫୋର୍ଡ ଏପ୍ରିଲ ଶେଷ ସୁଦ୍ଧା 1,500 ଭେଣ୍ଟିଲେଟର, ମେ ମାସ ଶେଷ ସୁଦ୍ଧା 12,000 ଏବଂ ଜୁଲାଇ 4 ସୁଦ୍ଧା 50,000 ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି ।