ୱାଶିଂଟନ:ଆମେରିକାର ଆନ୍ତଃରାଜ୍ୟ ଟେକ୍ସାସ୍ରେ ଶୀତଦିନିଆ ଝଡ଼ ବା ବରଫ ଝଡ଼ ସହିତ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଥିରେ 130ରୁ ଅଧିକ ଯାନବାହନ ଏକକାଳୀନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପ୍ରାୟ 6 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।
ଡାଉନ୍ ଟାଉନ୍ ଫୋର୍ଟ ୱର୍ଥ ଅଞ୍ଚଳ ନିକଟସ୍ଥ ଆନ୍ତଃରାଜ୍ୟ-35ରେ ହୋଇଥିବା ଏହି ଦୁର୍ଘଟଣା ସ୍ଥଳରେ ସେମିଟ୍ରେଲର୍ସ, କାର ଏବଂ ଟ୍ରକ୍ ପରସ୍ପରକୁ ଧକ୍କା ଦେଇଥିଲେ ଏବଂ କିଛି ଗାଡି ପରସ୍ପର ଉପରେ ଚଢି ଯାଇ ଯାନବାହନ ପର୍ବତ ଭଳି ରହିଥିବା ଦେଖିବାକୁ ମିଳିଛି । ଏହି ଗାଡ଼ିଗୁଡ଼ିକର ଦୁର୍ଘଟଣା ହୋଇଥିବା ବେଳେ ସେଥିରେ ଥିବା ଯାତ୍ରୀ ଓ ଚାଳକ ମଧ୍ୟ ଫସି ରହିଥିଲେ । ତେବେ ସେମାନଙ୍କୁ 'ହାଇଡ୍ରୋଲିକ୍ ଉଦ୍ଧାର ଉପକରଣ'କୁ ବ୍ୟବହାର କରି ଉଦ୍ଧାର କରାଯାଇଥିଲା ବୋଲି ଫୋର୍ଟ ୱର୍ଥର ଅଗ୍ନିଶମ ବାହିନୀ ମୁ୍ଖ୍ୟ ଜିମ ଡେଭିସ କହିଛନ୍ତି ।
ଏହି ଦୁର୍ଘଟଣାରେ ପ୍ରାୟ 65 ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ପ୍ରାୟ 36 ଜଣଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ସକାଳ 6ଟାରେ ଘଟିଥିବା ଜଣାପଡିଛି । ତେବେ ହସ୍ପିଟାଲ ଓ ଜରୁରୀକାଳୀନ କର୍ମଚାରୀ କାର୍ଯ୍ୟାଳୟରୁ ଫେରୁଥିବା ଓ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାଗସ୍ତ ଲୋକଙ୍କ ମଧ୍ୟରେ ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ରହିଥିବା ସୂଚନା ମିଳିଛି ।