ୱାଶିଂଟନ: ଲୋକପ୍ରିୟ ଆପ ଟିକ୍ଟକ୍ ସମେତ 59ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେବେ ଭାରତର ଏହି ନିଷ୍ପତ୍ତିକୁ ଠିକ ବୋଲି କହିଛି ଆମେରିକା କଂଗ୍ରେସ । ଏହା ସହିତ ଆମେରିକାରେ ମଧ୍ୟ ଖୁବ ଶୀଘ୍ର ଟିକ୍ଟକ୍ ସମେତ ଅନ୍ୟ ଚାଇନିଜ ଆପ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖି ଅପିଲ କରିଛି ଆମେରିକା କଂଗ୍ରେସ । ଚୀନର କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ନୀତିର ଲକ୍ଷ ଉପରେ ଉଦବେଗ ପ୍ରକାଶ କରି ଆମେରିକାର 25 ଜଣ କଂଗ୍ରେସ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଜୁଲାଇ 15 ତାରିଖ ଦିନ ଆମେରିକା ରାଷ୍ଟ୍ରପତିଙ୍କୁ ଲେଖିଥିବା ଏକ ଚିଠିରେ ସେମାନେ ଦର୍ଶାଇଛନ୍ତି, ଜାତୀୟ ସୁରକ୍ଷା ଚିନ୍ତା କାରଣରୁ ଟିକ୍ଟକ୍ ସମେତ ଅନେକ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି। ଏହା ପ୍ରସଂଶନୀୟ । ଆମେରିକୀୟଙ୍କ ତଥ୍ୟ, ଗୋପନୀୟତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା ଟିକ୍ଟକ୍ କିମ୍ବା ଅନ୍ୟ କୌଣସି ଚାଇନିଜ୍ ଅନୁବନ୍ଧିତ ସୋସିଆଲ୍ ମିଡିଆ ୱେବସାଇଟ୍ କିମ୍ବା ଆପ୍ ଉପରେ ବିଶ୍ବାସ କରିବା ଉଚିତ୍ ନୁହେଁ। ଏହା ଚୀନ କମ୍ୟୁନିଷ୍ଟ ପାର୍ଟିର ଗୁପ୍ତଚର ଭାବରେ କାର୍ଯ୍ୟ କରେ । ତେଣୁ ଚୀନର ଅତ୍ୟାଧୁନିକ ଗୁପ୍ତଚରକୁ ବନ୍ଦ କରିବା ପାଇଁ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛୁ। ଆମର ଜାତୀୟ ସୁରକ୍ଷାକୁ ରକ୍ଷା କରନ୍ତୁ ବୋଲି ଚିଠିରେ କୁହାଯାଇଛି।