ପୁରୀ: ପ୍ରୋବେସନାରୀ ଆଇଏଏସ(Probationary ias officer)ଙ୍କୁ ଶ୍ରୀମନ୍ଦିର ନେବା ପାଇଁ ନିୟୋଜିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାଟେରୀ ଚାଳିତ ଗାଡି । ଫଳରେ ଗାଡ଼ି ଅଭାବରୁ ଅନେକ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ବଡ଼ବଡ଼ିଆଙ୍କ ଲାଗି ସାଧାରଣ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅବହେଳା କାରଣରୁ ଭକ୍ତମାନେ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି ।
ରବିବାର ୧୬୦ ଜଣ ପ୍ରୋବେସନାରୀ ଆଇଏଏସ୍(ନିଯୁକ୍ତି ପୂର୍ବରୁ ଟ୍ରେନିଂ ପିରିୟଡ଼ରେ ଥିବା ଅଫିସର) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଥିବା ବ୍ୟାଟେରୀ ଗାଡି ସବୁ ଏହି ଅଫିସରଙ୍କ ପାଇଁ ଶ୍ରୀମନ୍ଦିର ପାଖକୁ ଯିବା ପାଇଁ ନିୟୋଜିତ ହୋଇଥିଲା । ଫଳରେ ବ୍ୟାଟେରୀ ଗାଡି ଅଭାବ ହେତୁ ବହୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଵ୍ୟକ୍ତି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇ ନ ପାରି ମହାପ୍ରଭୁଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ପ୍ରଶାସନର ଏହିଭଳି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
ରାଜ୍ୟ ବିଭିନ୍ନ ସ୍ଥାନରୁ ଆସିଥିବା ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତମାନେ ଏହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରତିଦିନ ଯେଉଁ ଭକ୍ତମାନେ ଆସୁଛନ୍ତି, ସେମାନେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଜଗନ୍ନାଥ ବଲ୍ଲଭ ପାର୍କିଂରୁ ପ୍ରାୟ ଦେଢ଼ କିଲୋମିଟର ହେବ ଶ୍ରୀମନ୍ଦିର । ଯେହେତୁ ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତଙ୍କ ପକ୍ଷରେ ଚାଲିକି ଯିବା ସମ୍ଭବ ନୁହେଁ, ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ବ୍ୟାଟେରୀ ଚାଳିତ ଗାଡ଼ି ବରିଷ୍ଠ, ଦିବ୍ୟାଙ୍ଗ ଭକ୍ତମାନଙ୍କୁ ନେବା ଆଣିବା ପାଇଁ ନିୟୋଜିତ ହୋଇଛି ।