ଓଡିଶା

odisha

By

Published : Feb 12, 2021, 7:29 AM IST

ETV Bharat / city

ପୁରୀଘାଟ ହାଜତ ମୃତ୍ୟୁ ମାମଲା; ତତ୍କାଳୀନ ଦୁଇ ପୋଲିସ ଅଧିକାରୀଙ୍କ ଜେଲ ଦଣ୍ଡାଦେଶ କୋହଳ

1985 ମସିହା ପୁରୀଘାଟ ହାଜତ ମୃତ୍ୟୁ ମାମଲାରେ ତତ୍କାଳୀନ ଦୁଇ ପୋଲିସ ଅଧିକାରୀଙ୍କ ଜେଲ ଦଣ୍ଡାଦେଶ କୋହଳ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ପୁରୀଘାଟ ହାଜତ ମୃତ୍ୟୁ ମାମଲା
ପୁରୀଘାଟ ହାଜତ ମୃତ୍ୟୁ ମାମଲା

କଟକ: ପୁରୀଘାଟ ଥାନା ହାଜତ ମୃତ୍ୟୁ ମାମଲରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ଇନ୍ସପେକ୍ଟର ପ୍ରଭାତଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଏସଆଇ ପ୍ରତାପ କୁମାର ଚୌଧୁରୀଙ୍କ ଜେଲ ଦଣ୍ଡାଦେଶ କୋହଳ ହୋଇଛି । 1985 ମସିହାରେ ଘଟିଥିବା ଏହି ହାଜତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଦୁଇ ଦୋଷୀଙ୍କ ଜେଲ ଦଣ୍ଡାଦେଶକୁ କୋହଳ କରିଛନ୍ତି ।

ଉଭୟଙ୍କୁ 6 ମାସ ଜେଲଦଣ୍ଡ ପ୍ରଦାନ କରାଯାଇଛି। ହାଇକୋର୍ଟ ଉଭୟଙ୍କୁ ଆଇପିସିର ଦଫା 324ରେ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଦଣ୍ଡ ଅବଧିକୁ ସୁପ୍ରିମକୋର୍ଟ 6 ମାସକୁ ହ୍ରାସ କରିଛନ୍ତି। ଏଥି ସହିତ ପୀଡିତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ହାଇକୋର୍ଟ ପୂର୍ବରୁ 3 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଉ ଆଉ 7 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ 2020, ନଭେମ୍ବର 9ର ରାୟ ବିରୋଧରେ ପ୍ରଭାତଚନ୍ଦ୍ର ମହାନ୍ତି ଓ ପ୍ରତାପ କୁମାର ଚୌଧୁରୀ ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଏପରି ରାୟ ଦେଇଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ, 1985 ମେ 5ତାରିଖରେ ପୁରୀଘାଟ ଥାନା ହାଜତରେ କାଶୀନାଥ ଜେନାଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଥିଲା।

କଟକର ସିଟି ଡିଏସପିଙ୍କ ନିକଟରେ ରୁଜୁ ଏତଲାରେ ଦର୍ଶାଯାଇଥିଲା ଯେ ମେ’ 4 ତାରିଖ ଦିନ ପୋଲିସ ଡାକରା ପାଇ କାଶୀନାଥ ନାୟକ ଥାନାକୁ ଯାଇଥିଲେ। କାଶୀନାଥଙ୍କୁ ସେଠାରେ ପୋଲିସ ଅଧିକାରୀ ଅଟକାଇ ମାଡ ମାରିଥିଲେ। ଏହାପରେ କାଶୀନାଥଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତତ୍କାଳୀନ ଇନ୍ସପେକ୍ଟର ପ୍ରଭାତ ଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଏସଆଇ ପ୍ରତାପ କୁମାର ଚୌଧୁରୀଙ୍କ ବିରୋଧରେ ମାମଲା‌ର ଶୁଣାଣି କରି କଟକ ସହକାରୀ ଦୌରା ଜଜ୍ ତଥା ଏସିଜେଏମ୍ (ସ୍ପେଶାଲ) କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

1988, ଅଗଷ୍ଟ 29ର ଏହି ରାୟରେ ଦଫା 304 ପାର୍ଟ-2ରେ ମହାନ୍ତି ଓ ଚୌଧୁରୀଙ୍କୁ ଯଥାକ୍ରମେ 5 ବର୍ଷ ଓ 8 ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। ଏହି ଦଣ୍ଡାଦେଶ ବିରୋଧରେ ମହାନ୍ତି ଓ ଚୌଧୁରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଦଫା 304 ପାର୍ଟ-2/34 ଓ 342/34ରେ ଉଭୟଙ୍କୁ ପ୍ରଦାନ କରାଯାଇଥିବା ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଅନ୍ୟପକ୍ଷରେ ଆଇପିସିର ଦଫା 323/34, 471/34ରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ ନେଇ ନିମ୍ନ ଅଦାଲତ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିବା ସହିତ ଉଭୟଙ୍କୁ 324/34ରେ ଏକ ବର୍ଷ କାରାଦଣ୍ଡ ପ୍ରଦାନ କରିଥିଲେ।

ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଉଭୟ 1988ରୁ ଜାମିନରେ ଥିବାରୁ ଏ ସମ୍ପର୍କିତ ଜାମିନ ବଣ୍ଡ୍ ରଦ୍ଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅବଶିଷ୍ଟ ଦଣ୍ଡ ଭୋଗ କରିବା ପାଇଁ ଦୁଇ ସପ୍ତାହ ଭିତରେ ଦୁଇ ଜଣ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ବୋଲି ହାଇକୋର୍ଟଙ୍କ 2020 ନଭେମ୍ବର 9ର ରାୟରେ ଉଲ୍ଲେଖ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details