ଭୁବନେଶ୍ବର: ପାଖେଇ ଆସୁଛି ସାରଦୀୟ ଦୁର୍ଗା ପୂଜା (Durga Puja ) । ମାଙ୍କ ସ୍ବାଗତ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ଗାଁ ରୁ ସହର ସବୁଠି ଚାଲିଛି ସାଜସଜ୍ଜା । ବିଶେଷ କରି ରାଜ୍ୟର ଟ୍ବିନସିଟି କଟକ-ଭୁବନେଶ୍ବରରେ ଧୂମଧାମରେ ପାଳିତ ହେବ ଦୁର୍ଗା ପୂଜା । ପୂଜା ବେଳେ ଭକ୍ତଙ୍କ ଗହଳୀ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜାର ରୀତିନୀତି ପାଳନ ଏକ ଆହ୍ବାନ ଭରା ରହିବ । ପୂଜା ବେଳେ ଯେଭଳି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ର, ସୁରକ୍ଷା ପୁରା ସଠିକ ରହିବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ (Interview with Twin city Police Commissioner ) କହିଛନ୍ତି, "କମିଶନରେଟ ପୋଲିସ ପକ୍ଷରୁ ଯାହା କରାଯିବା ଦରକାର ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।"
ଟ୍ବିନସିଟିବାସୀଙ୍କୁ ଶାରଦୀୟ ପୂଜାର ଅଭିନନ୍ଦନ ଜଣାଇ ପୋଲିସ କମିଶନର କହିଛନ୍ତି ଦୁଇ ବର୍ଷର ଦୁଃସ୍ବପ୍ନ ପରେ ପୁଣି ଥରେ ମାଁ ଆସୁଛନ୍ତି । ଦ୍ବେତ ନଗରବାସୀ ମାଙ୍କୁ ଦର୍ଶନ କରନ୍ତୁ । ଶାନ୍ତି ଶୃଙ୍ଖଳାର ସହ ପୂଜା ମଣ୍ଡପ ବୁଲନ୍ତୁ। ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପୁରା ସଜାଗ ରହିଛି । କମିଶନରେଟ ପୋଲିସକୁ ମଧ୍ୟ ସହଯୋଗ କରିବା ପାଇଁ କମିଶନର ଅପିଲ କରିଛନ୍ତି । ପୂଜା ଆରମ୍ଭରୁ ଭଷାଣୀ ପର୍ଯ୍ୟନ୍ତ ଉଭୟ ସହରରେ ଆଇନ ଶୃଙ୍ଖଳା, ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିବା କମିଶନର କହିଛନ୍ତି ।