ଓଡିଶା

odisha

By

Published : Jul 27, 2019, 12:16 PM IST

ETV Bharat / city

ଅର୍ଜୁନ ପୁରସ୍କାର ପାଇଁ ଆଶାବାଦୀ ଓଡିଆ ଧାବିକା ଦୁତି ଚାନ୍ଦ

କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଏ । ଓଡିଆ ଧାବିକା ଦୁତି ଚାନ୍ଦ ଏହି ସମ୍ମାନଜନକ ପୁରସ୍କାର ପାଇଁ ଆବେଦନ କରିଛନ୍ତି । ଏହାସହ ପୁରସ୍କାର ମିଳିବା ନେଇ ଆଶାବାଦୀ ଅଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଅର୍ଜୁନ ପୁରସ୍କାର ମିଳିବା ନେଇ ଓଡିଆ ଧାବିକା ଦୁତି ଚାନ୍ଦ ଆଶାବାଦୀ ଅଛନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ନିତ କରିଥିବା କ୍ରୀଡାବିତଙ୍କୁ ମିଳିଥାଏ ଏହି ସମ୍ମାନଜନକ ଅର୍ଜୁନ ପୁରସ୍କାର ।

2019 ବର୍ଷ ପାଇଁ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହି ସମ୍ମାନଜନକ ପୁରସ୍କାର ପାଇଁ ଆବେଦନର ସମୟ ରହିଥିଲା । ଦୁତି ଏଥିପାଇଁ ଆବେଦନ କରିଛନ୍ତି । ଯୋଗ୍ୟତାର ମାନଦଣ୍ଡ ଅନୁଯାୟୀ ଗତ 3 ବର୍ଷ ଧରି କ୍ରୀଡାବିତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିବା ଜରୁରୀ । 2016ରୁ 2019 ପର୍ଯ୍ୟନ୍ତ ଦୁତିଙ୍କ ପ୍ରଦର୍ଶନ ଦମଦାର ରହିଛି । ତେବେ ଓଡିଶା ସରକାରଙ୍କ ପକ୍ଷରୁ ବିଳମ୍ବରେ କ୍ରୀଡା ମନ୍ତ୍ରଣାଳୟକୁ ଦୁତିଙ୍କ ନାମ ସୁପାରିଶ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଦୁତି ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେବାନେଇ ଆଶଙ୍କା ଉପୁଜିଛି । ତେବେ ଦେଶ ପାଇଁ ଅଧିକ ପଦକ ଜିତିବା ତାଙ୍କର ଲକ୍ଷ୍ୟ ଓ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଅଧିକ ପ୍ରେରଣା ଯୋଗାଇ ଥାଏ କହିଛନ୍ତି ଦୁତି । ତେଣୁ ସେ ପୁରସ୍କାର ପାଇବା ନେଇ ଆଶାବାଦୀ ଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏକ ଗରିବ ମଧ୍ୟବିତ୍ତ ପରିବାରର ଝିଅ ହୋଇଥିଲେ ମଧ୍ୟ, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦେଶର ପ୍ରତିନିଧିତ୍ବ କରିଛନ୍ତି ଓଡିଆ ଝିଅ ଦୁତି । ଏସିଆନ ଚମ୍ପିଆନସିପ, ଏସିଆନ ଗେମ୍ସ, ବିଶ୍ବ ଚମ୍ପିଆନସିପ ନିକଟରେ ଦୁତି ଇଟାଲିରେ ହୋଇଥିବା ବିଶ୍ବବିଦ୍ୟାଳୟ ଦୌଡକୁଦରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟରେ 100 ମିଟର ଦୌଡ ଇଭେଣ୍ଟରେ ଦୁତିଙ୍କ ଏହି ସଫଳତା ପରେ ଦୁତିଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା । ଜାକର୍ତ୍ତାରେ ହୋଇଥିବା 2018 ଏସିଆନ ଗେମ୍ସରେ 2ଟି ରୌପ୍ୟ ହାସଲ କରିଥିଲେ ଦୁତି । ଦୋହାରେ ହୋଇଥିବା ବିଶ୍ବସ୍ତରୀୟ ଦୌଡକୁଦ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ଦୁତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details