ଭୁବନେଶ୍ବର: ଏବେ କ୍ରାଇମ ସ୍ପଟରୁ ମିଳିବ ସୁରାକ । ଅଭିଯୁକ୍ତର ଅପରାଧ ଇତିହାସ ଜାଣିପାରିବ ପୋଲିସ । ଅପରାଧୀକୁ ଧରାଇବ ୟୁ ଭି ଲାଟେଷ୍ଚ ଫିଙ୍ଗରପ୍ରିଣ୍ଟ ସ୍କାନର । କମିଶନରେଟ ପୋଲିସ ଆଣିଛି ଅତ୍ୟାଧୁନିକ ମେସିନ ।
ଏହି ମେସିନ ସାହାଯ୍ୟରେ କ୍ରାଇମ ସ୍ପଟରୁ ସଂଗ୍ରହ ହେବ ଫିଙ୍ଗରପ୍ରିଣ୍ଟ ବା ହାତର ଚିହ୍ନ । ଯେଉଁ ଚିହ୍ନରୁ ଜାଣିହେବ ପେସାଦାର ଅପରାଧୀ ବା ହାର୍ଡକୋର କ୍ରିମିନାଲର ସୁରାକ । ସଂଗୃହୀତ ଫିଙ୍ଗରପ୍ରିଣ୍ଟକୁ କମିଶନରେଟ ପୋଲିସ ପାଖରେ ପୂର୍ବରୁ ଥିବା ଫିଙ୍ଗରପ୍ରିଣ୍ଟ ସହ ମ୍ୟାଚ ପରେ ଜଣାପଡିଯିବ ଅଭିଯୁକ୍ତର ତଥ୍ୟ । ସହଜରେ ବଡ ବଡ କ୍ରିମିନାଲ ଓ ଅପରାଧୀଙ୍କୁ ଚିହ୍ନଟ ସହ ନିଆଯାଇପାରିବ ଆକ୍ସନ । ଆଉ ଅପରାଧ କାର୍ଯ୍ୟକଳାପ ଉପରୁ ହଟିବ ପରଦା ।
୧୦ ଲକ୍ଷ ଟଙ୍କା ଦେଇ ୟୁରୋପରୁ ଏଭଳି ମେସିନ ମଗାଇଛି କମିଶନରେଟ ପୋଲିସ । ଗୋଟିଏ ମେସିନ ଉଭୟ କଟକ ଓ ଭୁବନେଶ୍ବର ପାଇଁ କାର୍ଯ୍ୟରେ ଲାଗିବ । ଏହାକୁ ଫରେନସିକ ଟିମର ଅଧିକାରୀ ବ୍ୟବହାର କରିବେ । ଯେଉଁଠାରେ କୌଣସି କ୍ରାଇମ ହୋଇଥିବ ସେଠାରୁ ଘରର କାନ୍ଥ ବା କବାଟ ଅବା କୌଣସି ଜିନିଷରେ ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ ଥିଲେ ସହଜରେ ଚିହ୍ନି ହେବ । ତେବେ ଓଡିଶା ପୋଲିସ କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳ ସହ କମିଶନରେଟ ପୋଲିସ ପାଇଁ ଏହି ମେସିନ ମଗାଯାଇଥିଲା ।