ଓଡିଶା

odisha

By

Published : Dec 13, 2021, 9:51 PM IST

ETV Bharat / city

Cyclone Jawad Aftermath: 131 ବ୍ଲକ ପ୍ରଭାବିତ, 5.78 ଲକ୍ଷ ହେକ୍ଟର ଫସଲ ନଷ୍ଟ

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଦଳ ଫେରିଯାଇଛନ୍ତି । ୧୨ଟି ଜିଲ୍ଲାର ୧୩୧ଟି ବ୍ଲକରେ ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଜମିର ଖରିଫ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଆସିଲା ପ୍ରାଥମିକ ରିପୋର୍ଟ,  ଜୱାଦ ପ୍ରଭାବରେ ୧୨ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ
ଆସିଲା ପ୍ରାଥମିକ ରିପୋର୍ଟ, ଜୱାଦ ପ୍ରଭାବରେ ୧୨ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ

ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ଦଳ ଫେରିଯାଇଛନ୍ତି । ଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରାଳୟ ଟିମ୍‌ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ଆବଶ୍ୟକ ସ୍ଥଳେ ରିଲିଫ୍‌ କୋଡ୍‌ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । ଏନେଇ କେନ୍ଦ୍ରୀୟ ଦଳ ସୂଚନା ଦେଇଛି । କେନ୍ଦ୍ରୀୟ ଟିମ୍‌ ଦିଲ୍ଲୀ ଫେରି କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ବରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ ।

କେନ୍ଦ୍ରୀୟ ଟିମ୍ ଗତ ଦୁଇଦିନ ଧରି ଜଓ୍ୱାଦ୍ ବାତ୍ୟା ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆଜି(ସୋମବାର) ସନ୍ଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଛନ୍ତି ।

ଆସିଲା ପ୍ରାଥମିକ ରିପୋର୍ଟ, ଜୱାଦ ପ୍ରଭାବରେ ୧୨ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତଆସିଲା ପ୍ରାଥମିକ ରିପୋର୍ଟ, ଜୱାଦ ପ୍ରଭାବରେ ୧୨ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ



ଚଳିତ ବର୍ଷ ଚାଷ ଋତୁ ପ୍ରାରମ୍ଭିକରେ ନିଅଣ୍ଟ ବୃଷ୍ଟିପାତ ଯୋଗୁଁ ଅନେକ ଜିଲ୍ଲାରେ ମରୁଡ଼ି ସ୍ଥିତି ଉପୁଜିଥିଲା । ପ୍ରବଳ ବର୍ଷା ସହିତ ଓଡ଼ିଶା ଉପକୂଳ ନିକଟରେ ଏହି ଘୂର୍ଣ୍ଣିବଳୟ ଆସିବା ବେଳେ ଫସଲଗୁଡିକ ପାଚିବା ଅବସ୍ଥାରେ ଥିଲା । ପାଣିପାଗ କେନ୍ଦ୍ରର ପୁର୍ବାନୁମାନ ମୁତାବକ କୃଷକଙ୍କୁ ପାଚିଲା ଶସ୍ୟ ଓ ଉଦ୍ୟାନଜାତ ଦ୍ରବ୍ୟ କ୍ଷେତରୁ ଆଣି ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା । କୃଷକମାନେ ମଧ୍ୟ ବହୁ ଚେଷ୍ଟା କରିଥିଲେ । କିନ୍ତୁ ସମସ୍ତ ପାଚିଲା ଫସଲ ଅଳ୍ପ ସମୟ ମଧ୍ୟରେ ଅମଳ କରାଯାଇ ସଂଗ୍ରହ କରାଯାଇ ପାରିଲା ନାହିଁ । ଏତେ କମ୍ ସମୟ ମଧ୍ୟରେ ସମସ୍ତ ଧାନ, ପନିପରିବା ଓ ଅନ୍ୟାନ୍ୟ ଖରିଫ୍ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ସମ୍ଭବ ହୋଇନଥିଲା । ଏହା ବ୍ୟତୀତ ଅନେକ ପ୍ରକାରର ଶସ୍ୟ ଏବଂ ପନିପରିବା ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଛି ।


ପ୍ରାଥମିକ ଆକଳନ ଅନୁସାରେ ୧୨ଟି ଜିଲ୍ଲାର ୧୩୧ଟି ବ୍ଲକରେ ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଜମିର ଖରିଫ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ଵର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ ଏହି ତାଲିରେ ସାମିଲ ରହିଛନ୍ତି । ଧାନ ଏବଂ ଅନ୍ୟାନ୍ୟ ଖରିଫ ଫସଲ ବ୍ୟତୀତ ପ୍ରବଳ ବର୍ଷା ଦ୍ୱାରା ଆଳୁ, ବାଦାମ ଏବଂ ଅନ୍ୟାନ୍ୟ ପ୍ରମୁଖ ପନିପରିବାରେ ବ୍ୟାପକ କ୍ଷତି ଘଟିଛି । ବର୍ତ୍ତମାନ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସୂଚନା ଦେଇଛନ୍ତି ।



ପ୍ରକୃତ କ୍ଷୟକ୍ଷତି ଆକଳନ ପ୍ରାୟ 7 ଦିନ ମଧ୍ୟରେ ଶେଷ ହେବା ନେଇ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି । ଖରିଫ ଫସଲ ପାଚିବା ସମୟରେ ସାମୁଦ୍ରିକ ବାତ୍ୟା ଜନିତ ବର୍ଷା ଚାଷୀମାନଙ୍କର ପ୍ରଭୁତ କ୍ଷତି କରିଛି । ଜମିରେ ପାଣି ଜମି ରହିବାରୁ ଚାଷୀ ମଧ୍ୟ ରବି ଫସଲ ପାଇଁ ମଞ୍ଜି ବୁଣିବାରୁ ବଞ୍ଚିତ ହୋଇଛନ୍ତି ।


କେନ୍ଦ୍ରୀୟ ଟିମ ସଦସ୍ୟ ଡ. ମାନସ କୁମାର ସିହ୍ନା ପ୍ରତିକ୍ରିୟାରେ କହିଛନ୍ତି ଯେ, ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଅର୍ଥକରୀ ଫସଲ ଯଥା ଚିନ ବାଦାମ, ପନିପରିବା ବିଲରେ ପଚି ଯାଇଛି । ଚାଷୀମାନଙ୍କୁ କିପରି ଉଚିତ ସହାୟତା ମିଳିବ, କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ । ଏହା ସହିତ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ର ସ୍ତରରେ ପଦକ୍ଷେପ ନିଆଯିବ । ଆବଶ୍ୟକ ସ୍ଥଳେ ରିଲିଫ କୋଡ଼ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ଟିମ ଦିଲ୍ଲୀ ଫେରି କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ବରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ ।



ବାତ୍ୟା ଜନିତ ଲଗାଣ ବର୍ଷାରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାଷୀଙ୍କୁ ଉପଯୁକ୍ତ ସହାୟତା ପାଇଁ ରିଲିଫ କୋଡ୍‌ରେ ସଂଶୋଧନର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ରିଲିଫ କୋଡ୍‌ ସଂଶୋଧନ ପାଇଁ ବିଭିନ୍ନ ମନ୍ତ୍ରଣାଳୟର ସମ୍ପର୍କ ରହିଛି । ଏନେଇ କେନ୍ଦ୍ର କ୍ୟାବିନେଟ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।



6 ଜଣ ବିଶିଷ୍ଟ ଏହି ଟିମ୍ ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିଲା କେନ୍ଦ୍ରୀୟ ଦଳ । ଗଞ୍ଜାମ, ପୁରୀ, ଜଗତସିଂପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛି ଏହି ଟିମ୍‌ । କେନ୍ଦ୍ରୀୟ ଦଳରେ କୃଷି ମନ୍ତ୍ରଣାଳୟ ଡ଼. ମନ ସିଂ, ମତ୍ସ୍ୟ ମନ୍ତ୍ରଣାଳୟର ଡ. ମାନସ କୁମାର ସିହ୍ନା, ଅର୍ଥ ମନ୍ତ୍ରଣାଳୟର ଆର. ବି କୌଲ୍, ସଡକ ପରିବହନ ମନ୍ତ୍ରଣାଳୟ ଶାଶ୍ୱତ ମହାପାତ୍ର ଏବଂ ଶକ୍ତି ମନ୍ତ୍ରଣାଳୟର ପୁନମ ଜୈନ ଏହି ଟିମରେ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details