ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । 30 ବର୍ଷ ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଲୋକଙ୍କ ଆଶା ପୂରଣ ହେବାକୁ ଯାଉଛି । ଆସନ୍ତା 12 ତାରିଖରେ ଲୋକାର୍ପଣ ହେବ ଦେଓ ବହୁମୁଖୀ ଜଳସେଚନ ପ୍ରକଳ୍ପ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆସନ୍ତା 12ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର 2ଟି ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ଉଦଘାଟନ ହେବ । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଓ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୟାନନ୍ଦ(ବିଜୁ) ପଟ୍ଟନାୟକ 1992 ଜୁନ ମାସରେ ଦେଓ ପ୍ରକଳ୍ପର ଶୁଭ ଦେଇଥିଲେ । ଯାହାକୁ ନବୀନ ପଟ୍ଟନାୟକ ଆସନ୍ତା 12 ତାରିଖରେ ଉଦଘାଟନ କରିବେ । କରଞ୍ଜିଆରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଲାଗି 52 କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ତାହା ଏବେ ହଜାରେ କୋଟି ଟପିଯାଇଛି । ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ଶେଷ ହେବାକୁ 30 ବର୍ଷ ଲାଗିଛି ।