ଓଡିଶା

odisha

By

Published : Jan 18, 2021, 5:31 PM IST

ETV Bharat / business

ମହଙ୍ଗା ପେଟ୍ରୋଲ-ଡିଜେଲ, 48% ବଢିଛି ତେଲ ଉତ୍ପାଦ ଟିକସ

କୋରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କ ପକେଟ ଖାଲି । ଦେଶର ମୋଟ ରାଜସ୍ବ ସଂଗ୍ରହ ହ୍ରାସ । କିନ୍ତୁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଥିବା ଉତ୍ପାଦ ଶୁଳ୍କ ଆଦାୟ ରେକର୍ଡ ପାର କରିଛି । ଅଧିକ ପଢନ୍ତୁ..

ମହଙ୍ଗା ପେଟ୍ରୋଲ-ଡିଜେଲ , 48% ବଢିଛି  ତେଲ ଉତ୍ପାଦ ଟିକସ
ମହଙ୍ଗା ପେଟ୍ରୋଲ-ଡିଜେଲ , 48% ବଢିଛି ତେଲ ଉତ୍ପାଦ ଟିକସ

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ଦେଶର ପ୍ରତିଟି ସେକ୍ଟରରେ ଟିକସ ସଂଗ୍ରହ କମିଥିବାରୁ ମୋଟ ରାଜସ୍ବ ହ୍ରାସ ହୋଇଛି । କିନ୍ତୁ ଉତ୍ପାଦ ଟିକସ ସଂଗ୍ରହ ଚଳିତ ଆର୍ଥିକ ବର୍ଷରେ 48 ପ୍ରତିଶତ ବୃଦ୍ଧି ହୋଇଛି । ଏହାର କାରଣ ହେଉଛି ପେଟ୍ରୋଲ ଓ ଡିଜେଲ ଉତ୍ପାଦ ଶୁଳ୍କରେ ରେକର୍ଡ ବୃଦ୍ଧି ।

ମହାଲେଖ ନିୟନ୍ତ୍ରକ (ସିଜିଏ) ତଥ୍ୟ ଅନୁସାରେ 2020 ଏପ୍ରିଲରୁ ନଭେମ୍ବର ମଧ୍ୟରେ ତେଲ ଉତ୍ପାଦ ସଂଗ୍ରହ 1,96,342 କୋଟି ଟଙ୍କା ରହିଛି । ଯେତେବେଳେ କି ଏହା 2019 ସମାନ ଅବଧିରେ 1,32,899 କୋଟି ଟଙ୍କା ଥିଲା । ଉତ୍ପାଦ ଶୁଳ୍କ ସଂଗ୍ରହରେ ଏହି ବୃଦ୍ଧି ଚଳିତ ଆର୍ଥିକ ବର୍ଷର 8 ମାସର ଅବଧି ମଧ୍ୟରେ ଡିଜେଟ ବିକ୍ରି 1 କୋଟି ଟନ ହ୍ରାସ ପରେ ବି ହୋଇଛି ।

ଗତ କେଇ ମାସ ଧରି ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ମହଙ୍ଗା ହୋଇ ଚାଲିଛି । ଉଭୟ ଇନ୍ଧନ ଦାମ ଆକାଶଛୁଆଁ ଅଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ବାସ୍ତବରେ ତେଲ ଦାମ ବଢିବାର କାରଣ ହେଉଛି ଏହା ଉପରେ ଲାଗିଥିବା ମୋଟ ଅଙ୍କର ଟିକସ । ଯେବେ ଆପଣ 1 ଲିଟର ତେଲ କିଣୁଛନ୍ତି , ତେବେ ତାହା ଉପରେ ଏକ୍ସସାଇଜ ଡ୍ୟୁଟି , ଡିଲର କମିଶନ ଓ ଭେଲ୍ୟୁ ଆଡେଡ ଟ୍ୟାକ୍ସ (ଭାଟ) ସାମିଲ ହୋଇଥାଏ । ଏଭଳି ଭାବେ ପେଟ୍ରୋଲ ଓ ଡିଜେଲ ଦାମ ଅର୍ଥାତ ବେସ ପ୍ରାଇସ , ଏକ୍ସସାଇଜ ଡ୍ୟୁଟି ଓ ଭାଟ ଯୋଡି 1 ଲିଟର ତେଲର ଖୁଚୁରା ଦାମ ନିର୍ଦ୍ଧାରିତ ହୋଇଥାଏ ।

ତଥ୍ୟ ଅନୁସାରେ ଗତ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ରେକର୍ଡ ପରିମାଣର ଟିକସ ବୃଦ୍ଧି ହୋଇଛି । ସରକାର ଚଳିତ ଆର୍ଥିକ ବର୍ଷରେ ପେଟ୍ରୋଲ ଉପରେ ଲିଟର ପ୍ରତି 2ଥର ଉତ୍ପାଦ ଶୁଳ୍କ ବଢାଇଥିବାବେଳେ ଡିଜେଲ ଉପରେ 16 ପଇସା ବଢାଇଛନ୍ତି । ଏହାଦ୍ବାରା ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପରିମାଣ ଲିଟର ପ୍ରତି 32.98 ଟଙ୍କାକୁ ବଢିଥିବାବେଳେ ଡିଜେଲ କ୍ଷେତ୍ରରେ ଏହା ଲିଟର ପିଛା 31.83 ଟଙ୍କା ହୋଇଛି । ମହାଲେଖ ନିୟନ୍ତ୍ରକର ତଥ୍ୟ ଅନୁସାରେ 2019-20 ପୁରା ଆର୍ଥିକ ବର୍ଷର ମୋଟ ଉତ୍ପାଦ ଶୁଳ୍କ ପ୍ରାପ୍ତି 2,39,599 କୋଟି ଟଙ୍କା ରହିଛି ।

ଦିଲ୍ଲୀରେ ପେଟ୍ରୋଲ ଦାମ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସୋମବାର ଲିଟର ପିଛା 84.95 ଟଙ୍କାରେ ରହିଛି । ସେହିଭଳି ଡିଜେଲ ଦାମ ମଧ୍ୟ 75.13 ଟଙ୍କା ରହିଛି । ନୂଆ ବର୍ଷ ଆରମ୍ଭରୁ ଆଜି ସୁଦ୍ଧା ପେଟ୍ରୋଲ ଦାମ 5 ଟି କିସ୍ତିରେ ଲିଟର ପ୍ରତି 1.24 ଟଙ୍କା ମହଙ୍ଗା ହୋଇଛି ।

ABOUT THE AUTHOR

...view details