ନୂଆଦିଲ୍ଲୀ:ମଣିପୁରରେ ଦୁଇ ମହିଳାଙ୍କୁ ବିବସ୍ତ୍ର କରି ସଂଘବଦ୍ଧ ଯୌନ ନିର୍ଯାତନା ଦେବାର ଭାଇରାଲ ଭିଡିଓ ମାମଲାରେ ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି ଜାରି ରହିଛି । ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ନେଇ ସର୍ବୋଚ୍ଚ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ ପରେ ଏତଲା ପଞ୍ଜୀକରଣ ପାଇଁ କାହିଁକି 14 ଦିନ ସମୟ ଲାଗିଲା ବୋଲି ପ୍ରଶ୍ନ କରିଛନ୍ତି । ଘଟଣା ଘଟିବା ପରେ ପୋଲିସ କ’ଣ କରୁଥିଲା ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି,‘‘ଘଟଣା ମେ’ 4 ତାରିଖରେ ଘଟିଛି । ଦୁଇ ମହିଳାଙ୍କୁ ରାସ୍ତାରେ ବିବସ୍ତ୍ର କରି ଯୌନ ନିର୍ଯାତନା ଦିଆଗଲା । ଦୁଇଜଣଙ୍କ ସହ ଗଣଦୁଷ୍କର୍ମ ମଧ୍ୟ ହୋଇଛି । କିନ୍ତୁ 18 ତାରିଖରେ ମାମଲା ରୁଜୁ କରିଛି ପୋଲିସ । ଦୀର୍ଘ 14 ଦିନ ପୋଲିସ କରୁଥିଲା କ’ଣ ।’’ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାରେ ପକ୍ଷ ରଖୁଥିବା ସିଲିସେଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, କୋର୍ଟ ଚାହିଁଲେ ମାମଲାର ତଦନ୍ତକୁ ପ୍ରତ୍ୟେକ୍ଷ ତତ୍ବାବଧାନ କରିପାରିବେ । ଏହି ମାମଲାରେ ଭାଇରାଲ ଭିଡିଓରେ ନିର୍ଯାତିତ ହୋଇଥିବା ଦୁଇ ମହିଳା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ବରିଷ୍ଠ ଆଇନଜୀବୀ କପିଲ ଶିବଲ ପୀଡିତାଙ୍କ ପକ୍ଷରୁ ମାମଲାରେ ପକ୍ଷ ରଖୁଛନ୍ତି ।
ମେ’ 19ରେ ଏହି ବର୍ବରୋଚିତ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇବା ପରେ ଘଟଣାଟି ମେ’ 4 ତାରିଖରେ ଘଟିଥିବା ଜଣାପଡ଼ିଥିଲା । ହେଲେ ସେତେବେଳେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଭିଡିଓ ଭାଇରାଲ ହେବାପରେ ଗିରଫାଦାରୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ମୋଟ 7 ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି । ପ୍ରଥମେ ରାଜ୍ୟ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏବେ ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) କରୁଛି । ମାମଲାର ଟ୍ରାଏଲ ମଣିପରୁ ବାହାରେ ଅନ୍ୟ କୌଣସି ରାଜ୍ୟରେ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।