ପାଟନା: ବିହାରର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହି ଆଇଏଏସ୍ ଅଧିକାରୀ ଉପଜିଲ୍ଲାପାଳଙ୍କ ସମେତ ନିଜର ଅଧସ୍ଥନ କର୍ମଚାରୀଙ୍କୁ ଖରାପ ଭାଷାରେ ଗାଳିଗୁଲିଜ କରୁଥିବା ଶୁଣିବାକୁ ମିଳିଛି । କେବଳ କର୍ମଚାରୀ ନୁହଁନ୍ତି, ବଡ ବାବୁ ଜଣକ ବିହାର ପ୍ରଶାସନ ଠାରୁ ଆରମ୍ଭ କରି ଏଠିକାର ଲୋକଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି । ଏହି ଅଧିକାରୀ ବିହାର ମଦ ନିଷେଧ ବିଭାଗର ପ୍ରମୁଖ ସଚିବ କେକେ ପାଠକ ହୋଇଥିବା ଜଣାପଡିଛି । ଯାହାଙ୍କ କାନ୍ଧରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ମଦ ନିଷେଧ ଅଭିଯାନକୁ ସଫଳ କରିବାର ଦାୟିତ୍ବ ଦେଇଛନ୍ତି ।
ସୂଚନା ମୁତାବକ, ଆଇଏଏସ କେକେ ପାଠକ ଉତ୍ତରପ୍ରଦେଶ ମେରଟର ମୂଳ ବାସିନ୍ଦା । ସେ ବର୍ତ୍ତମାନ ବିହାର ମଦ ନିଷେଧ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି, ଆଇଏଏସ ଅଧିକାରୀ ଏକ ବୈଠକ କରୁଛନ୍ତି । ବୈଠକରେ ସେ ବିହାର ପ୍ରଶାସନ ଓ ଉପଜିଲ୍ଲାପାଳଙ୍କୁ ମନଇଚ୍ଛା ଗାଳିଗୁଲଜ କରୁଛନ୍ତି । ବିହାରବାସୀଙ୍କ ବିରୁଦ୍ଧରେ ମଧ୍ୟ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ଖରାପ ଭାଷା ବ୍ୟବହାର କରି କହୁଛନ୍ତି, ''ଚେନ୍ନାଇରେ ଲୋକେ ରାସ୍ତାର ବାମପାର୍ଶ୍ବରେ ଚାଲନ୍ତି । ଏଠାରେ କେହି ବାମପଟେ ଚାଲୁଥିବାର କେବେ ଦେଖିଛନ୍ତି । ବିହାର ଲୋକେ ଟ୍ରାଫିକ ରେଡ୍ ଲାଇଟରେ ବି ହର୍ଣ୍ଣ ବଜାନ୍ତି ।''