କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ଭିତରେ ଅଭାବନୀୟ କାଣ୍ଡ । ଶାସକ ତୃଣମୂଳ କଂଗ୍ରେସ ଓ ବିରୋଧୀ ବିଜେପି ବିଧାୟକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏଥିରେ ଉଭୟ ଗୋଷ୍ଠୀର ୭ଜଣ ବିଧାୟକ ସମ୍ପୃକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତୃଣମୂଳ ବିଧାୟକ ଅଶିତ ମଜୁମଦାରଙ୍କ ନାକରେ ଆଘାତ ଲାଗିଥିବାବେଳେ ଅନ୍ୟ କିଛି ବିଜେପି ବିଧାୟକ ମଧ୍ୟ ଆହତ ହୋଇଛନ୍ତି । ବିଧାୟକ ମନୋଜ ଟାଇଗର ମଧ୍ୟ ଏହି ସଂଘର୍ଷରେ ଆହତ ହେବା ସହ ତାଙ୍କ ସାର୍ଟ ଚିରି ଯାଇଥିବା ଦେଖିବାକୁ ମିଳିଥିଲା । ବିଧାୟକଙ୍କୁୁ ରୋକିବା ପାଇଁ ସୁରକ୍ଷାକର୍ମୀ ଚେଷ୍ଟା କରିଥିଲେ ସୁଦ୍ଧା ସ୍ଥିତି ଅଣାୟତ୍ତ ହୋଇଥିଲା ।
ବୀରଭୂମରେ ଘଟିଥିବା ରାଜନୈତିକ ହିଂସାକାଣ୍ଡ ପରେ ସାରା ରାଜ୍ୟରେ ରାଜନୈତିକ ଉଷ୍ମତା ଲାଗିରହିଛି । ତେବେ ଆଜି (ସୋମବାର) ଏହି ତାତି ଗୃହରେ ମଧ୍ୟ ପରିଲିକ୍ଷିତ ହୋଇଥିଲା । ବାଚସ୍ପତି ବିମନ ବାନାର୍ଜୀ ବିରୋଧୀ ଦଳର ଭୂମିକାକୁ ଗୃହରେ ସମାଲୋଚନା କରିଥିଲେ । ଏହି ଘଟଣାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭୂମିକାକୁ ମଧ୍ୟ ବାଚସ୍ପତି ସାମୋଲୋଚନା କରିବା ପରେ ବିଜେପି ବିଧାୟକମାନେ ଗୃହ ବାହାରକୁ ଆସି ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।