ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିବଙ୍ଗତ ପିତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏବେ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଓ୍ବନ ଖେଡା । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସ ଓ ଖେଡାଙ୍କ ଉପରେ ବର୍ଷିଛି । ଏକ ପ୍ରେସମିଟରେ ଆଦାନୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପୂର୍ଣ୍ଣ ନାମ କହି ତାଙ୍କ ପିତାଙ୍କ ଭୁଲ ନାମ କହିଥଲେ ପୱନ ଖେଡା । ପରେ ସେ ତ୍ରୁଟି ସଂଶୋଧନ କରିଥିବା ବେଳେ ପୁନର୍ବାର ମଧ୍ୟ ପରିହାସ କରିଥିଲେ । ଭାରତୀୟ ଜନତା ପାର୍ଟି କାହିଁକି ଯୁଗ୍ମ ସଂସଦୀୟ କମିଟି ଗଠନ କରିବାକୁ ଭୟ କରୁଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ବିଜେପି ଉଭୟ ଖେଡା ଓ କଂଗ୍ରେସକୁ କଡା ଟାର୍ଗେଟ କରିଛି ।
ଗୃହମନ୍ତ୍ରୀ ଅମିତ ଶାହା ପୱନ ଖେଡାଙ୍କ ବୟାନ ପରେ ଶାଣିତ ଆକ୍ରମଣ କରିଛନ୍ତି । ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କେଉଁ ପ୍ରକାର ଭାଷା ବ୍ୟବହାର କରାଯାଇଛି, ଜନସାଧାରଣ ଏହାକୁ ଦେଖିଆସିଛନ୍ତି । ତେବେ କଂଗ୍ରେସ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଏହା ପ୍ରଥମ ଘଟଣା ନୁହେଁ । ବିଜେପି ଅଭିଯୋଗ କରିଛି ଯେ ସାଧାରଣ ପୃଷ୍ଠଭୂମିରୁ ଆସିଥିବା ଜଣେ ବ୍ୟକ୍ତି କିପରି ଦେଶର ସର୍ବୋଚ୍ଚ ନିର୍ବାଚିତ ପଦବୀରେ ବସିପାରିବେ, ସେନେଇ କଂଗ୍ରେସରେ ସମସ୍ୟା ରହିଛି । ଯାହାକୁ କଂଗ୍ରେସ ବରଦାସ୍ତ କରିପାରୁନି ।