ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁରରେ ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ପରିଚାଳିତ NEET (UG) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରବିବାର ମଣିପୁରର ଏକାଧିକ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏଥିରେ ମୋଟ 8,751 ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାର ଥିଲା । ହେଲେ ହିଂସା କାରଣରୁ ଏହାକୁ NTA ପକ୍ଷରୁ ସ୍ଥଗିତ ରଖାଯାଇଛି । ଏନେଇ ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।
ଏନେଇ NTA ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ବିବୃତ୍ତିରେ କୁହାଯାଇଛି, ‘‘ବର୍ତ୍ତମାନର ହିଂସା ସ୍ଥିତିକୁ ଦେଖି ନିର୍ଦ୍ଧାରିତ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ୟ ଏକ ତାରିଖରେ ମଣିପୁରରେ ପରୀକ୍ଷା କରିବା ନେଇ ଏନଟିଏକୁ ଚିଠି ଲେଖିଛନ୍ତି । ଏନେଇ କେବେ ପରୀକ୍ଷା ପାଇଁ ପୁନଃସୂଚୀ ନିର୍ଦ୍ଧାରିତ କରାଯିବ ସେ ନେଇ ପରୀକ୍ଷାର୍ଥୀଙ୍କୁ ଅବଗତ କରିଦିଆଯିବ ।’’
ଏନଟିଏ ପରୀକ୍ଷା ସ୍ଥଗିତ ସମ୍ପର୍କରେ ମଧ୍ୟ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରାଛାତ୍ରୀଙ୍କ ନିକଟରେ ସୂଚନା ପହଞ୍ଚାଇଛି । ଅଟୋମେଟିକ କଲ ଓ ମେସେଜ ମାଧ୍ୟମରେ ଫର୍ମ ଭରିଥିବା ଛାତ୍ରାଛାତ୍ରୀଙ୍କୁ ପରୀକ୍ଷା ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦିଆଯାଉଛି । ହେବାକୁ ଥିବା ପରୀକ୍ଷା ଭିନ୍ନ ତାରିଖରେ କରାଯିବ ଓ ସେ ସମ୍ପର୍କରେ ପୂର୍ବରୁ ଅବଗତ କରିଦିଆଯିବା ନେଇ NTA କହିଛି । ମଣିପୁରରେ ଆସନ୍ତା ରବିବାର ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏଥିରେ ଦୁଇଟି କେନ୍ଦ୍ରରେ ମୋଟ 8,751 ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାର ଥିଲା ।