ଓଡିଶା

odisha

By ETV Bharat Odisha Team

Published : Sep 17, 2023, 2:11 PM IST

ETV Bharat / bharat

ଦେଶରେ ପ୍ରଥମ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ବର୍ହିବିଭାଗ

ଦେଶରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ହସ୍ପିଟାଲରେ ଆରମ୍ଭ ହେଲା ସ୍ୱତନ୍ତ୍ର ବର୍ହିବିଭାଗ (ଓପିଡି) ସେବା । ନୂଆଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିୟା ହସ୍ପିଟାଲ ଓ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ ଓ ମେଡିକାଲ ସାଇନ୍ସ କଲେଜରେ ଏହି ସେବା ଆରମ୍ଭ କରାଯାଇଛି ।

ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ହେଲା ସ୍ୱତନ୍ତ୍ର ବର୍ହିବିଭାଗ
ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ସ୍ୱତନ୍ତ୍ର ବର୍ହିବିଭାଗ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ହସ୍ପିଟାଲରେ ଆରମ୍ଭ ହେଲା ସ୍ୱତନ୍ତ୍ର ବର୍ହିବିଭାଗ (ଓପିଡି) ସେବା । ନୂଆଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିୟା ହସ୍ପିଟାଲ ଓ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ ଓ ମେଡିକାଲ ସାଇନ୍ସ କଲେଜରେ ଏହି ସେବା ଆରମ୍ଭ କରାଯାଇଛି । ରବିବାର ଦିନ ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ଏହି ଓପିଡି ସେବାର ଶୁଭ ଉଦଘାଟନ କରାଯାଇଛି । ଏଥିସହ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଛି ।

ଆରଏମଏଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଅଜୟ ଶୁକ୍ଳା ଏହି ଓପିଡିର ଉଦଘାଟନ କରିଛନ୍ତି । ତେବେ ଏହି ସମୟରେ ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଡକ୍ଟର ଅଜୟ ଶୁକ୍ଳାଙ୍କ କହିବାନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଓପିଡି କେବଳ ଶୁକ୍ରବାର ଦିନ ଖୋଲା ରହିବ । ଶୁକ୍ରବାର ମଧ୍ୟାହ୍ନ 2ଟାରୁ ଅପରାହ୍ନ 4ଟା ଯାଏ ଏହି ସେବା ଉପଲବ୍ଧ ହେବ । ଏଥିସହ ବର୍ହିବିଭାଗରେ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ପଞ୍ଜିକରଣ କାଉଣ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ରୋଗୀଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହି ସମୟରେ ପରିବର୍ତ୍ତନ କରାଯିବ ।

ତେବେ ପ୍ରତ୍ୟେକ ଟ୍ରାନ୍ସଜେଣ୍ଡର ସମୁଦାୟ କିଭଳି ସୁବିଧାରେ ସରକାରୀ ଚିକିତ୍ସା ସେବା ପାଇ ପାରିବେ ସେନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଆରଏମଏଲ ହସ୍ପିଟାଲ ନିର୍ଦ୍ଦେଶକ । ସେ ଆଉ ମଧ୍ୟ କହିଛନ୍ତି , "ଅନେକ ସମୟରେ ଟ୍ରାନ୍ସଜେଣ୍ଡର ସମୁଦାୟ ସରକାରୀ ହସ୍ପିଟାଲର ଚିକିତ୍ସାଠାରୁ ଦୂରରେ ରହିଥାନ୍ତି । ନିଜର ଚିକିତ୍ସା ପାଇଁ ସେମାନେ ବେସରକାରୀ ହସ୍ପିଟାଲ ଯାଇଥାନ୍ତି ନଚେତ ଅର୍ଥ ଅଭାବରୁ ନିଜ ଚିକିତ୍ସା କରାଇନଥାନ୍ତି । ତେବେ ବହୁତ କମ ଟ୍ରାନ୍ସଜେଣ୍ଡର ସରକାରୀ ହସ୍ପିଟାଲରେ ନିଜର ଚିକିତ୍ସା କରିଥାନ୍ତି । ଏହାର କାରଣ ପଚାରିବାରୁ ଜାଣିବାକୁ ପାଇଥିଲି ଯେ, ସେମାନେ ସର୍ବସାଧାରଣ ସ୍ଥାନରେ ନିଜର ଚିକିତ୍ସା କରିବାକୁ ଅସହଜ ମନେକରିଥାନ୍ତି । ଯେଉଁଥିପାଇଁ ସରକାରୀ ହସ୍ପିଟାଲକୁ ଆସିବାକୁ ସେମାନେ ପସନ୍ଦ କରିନଥାନ୍ତି । ତେବେ ସରକାରୀ ହସ୍ପିଟାଲଗୁଡିକ ଯେପରି ସମସ୍ତଙ୍କୁ ସେବା ଯୋଗାଇ ପାରିବ ସେନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଓପିଡିରେ ହରମୋନାଲ ସମ୍ୱନ୍ଧୀୟ ଚିକିତ୍ସା, ସାଇକୋ ଡାଇଗ୍ନୋଷ୍ଟିକ ଆସେସମେଣ୍ଟ, ପ୍ଲାଷ୍ଟିକ ସର୍ଜରୀ, ଚର୍ମ ରୋଗ ସମ୍ୱନ୍ଧୀୟ ଚିକିତ୍ସା, ଉରୋଲୋଜି ଚିକିତ୍ସା ସୁବିଧା, ପେଡିଆଟ୍ରିକ ଚିକିତ୍ସା ସୁବିଧା ଓ ରକ୍ତ ପରୀକ୍ଷା ଭଳି ଅନେକ ସୁବିଧା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details