ଶ୍ରୀନଗର: ଦିନକୁ ଦିନ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । କେତେବେଳେ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ କରୁଛନ୍ତି ତ ଆଉ କେତେବେଳେ ଗ୍ରେନେଡ ମାଡ କରୁଛନ୍ତି । ଆଉ ଏଥିରୁ ବର୍ତ୍ତିପାରୁ ନାହାନ୍ତି ସାଧାରଣ ନାଗରିକ । ଶ୍ରୀନଗର ବୁଲବୁଲଲଙ୍କର ନଓ୍ବାକାଡାଲ ଅଞ୍ଚଳର ଜଣେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ମାଡ କରାଯାଇଛି । ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଶ୍ରୀନଗର ବୁଲବୁଲଲଙ୍କର ନଓ୍ବାକାଡାଲ ଅଞ୍ଚଳରେ ଆତଙ୍କୀ ଆଖି ବୁଜା ଗୁଳିମାଡ କରିଥିଲେ । ଏଥିରେ ସେହି ଅଞ୍ଚଳର ଜଣେ ସାଧାରଣ ନାଗରିକଙ୍କ ଉପରେ ଗୁଳି ବାଜିଥିଲା । ଏଥିରେ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଜଣେ ସାଧାରଣ ନାଗରିକଙ୍କ ଆତଙ୍କୀଙ୍କ ଗୁଳିରେ ମୃତ୍ୟୁ ଘଟିଥିବା ଖବର ଜଣାପଡିବା ପରେ ସେହି ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁମ୍ବିଂ ଜୋରଦାର କରାଯାଇଥିଲା ।