ଓଡିଶା

odisha

ବାର୍ଥଡେ ପାର୍ଟିରେ ଫୁଟିଲା ଗୁଳି, NRI ଯୁବକ ମୃତ

By ETV Bharat Odisha Team

Published : Dec 10, 2023, 7:08 AM IST

Bullets Fired At Birthday Party: ବାର୍ଥଡେ ପାର୍ଟିରେ ଫୁଟିଲା ଗୁଳି । ଗୁଳିମାଡରେ ଜଣେ ଏନଆରଆଇ (NRI) ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ବାର୍ଥଡେ ପାର୍ଟିରେ ଗୁଳିମାଡ
ବାର୍ଥଡେ ପାର୍ଟିରେ ଗୁଳିମାଡ

ଚଣ୍ଡିଗଡ଼:ଚାଲିଥିଲା ଜନ୍ମଦିନ ସେଲିବ୍ରେସନ । ବାର୍ଥଡେ ପାର୍ଟିରେ ଫୁଟିଲା ଗୁଳି । ଗୁଳିମାଡରେ ଜଣେ 35 ବର୍ଷୀୟ ଏନଆରଆଇ (NRI) ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ବର୍ତ୍ତମାନ ଆହତ ଯୁବକଙ୍କ ଚିକିତ୍ସା ଚାଲିଛି । ପୋଲିସ NRI ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ବେଳେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପଞ୍ଜାବର ଜଳନ୍ଧରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ପଞ୍ଜାବ ଜଳନ୍ଧରର ତାଲହାନ ରୋଡରେ ଅବସ୍ଥିତ ଡ଼ିଲନ୍ ରିସର୍ଟରେ ଏକ ଜନ୍ମଦିନ ସେଲିବ୍ରେସନ ଚାଲିଥିଲା । ଏହି ସମୟରେ ସମ୍ପର୍କୀୟମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଆରମ୍ଭ ହୋଇଥିଲା । ଏହି ଝଗଡାରେ କ୍ରୋଧିତ ହୋଇ ଜଣେ ଯୁବକ ଗୁଳି ଚଳାଇବା ଆରମ୍ଭ କରିଥିଲା । ତେବେ ହଠାତ୍ ଗୁଳିମାଡରେ ଜଣେ ଏନଆରଆଇ ଯୁବକଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ମୃତ ବ୍ୟକ୍ତି ଜଣକ ଏନଆରଆଇ ଥିବା ତରନ ତାରନ ନିବାସୀ ଦଲଜିତ ସିଂ ବୋଲି ଜଣାପଡିଛି । ଦଲଜିତ ସିଂ ଜଣେ ଆମେରିକୀୟ ନାଗରିକ ଥିଲେ । ମୃତ ଦଲଜିତଙ୍କ ଶାଳକ ମୁଲଦାମ ନିଜ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ତାଙ୍କୁ ଗୁଳି ଚଳାଇ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଟଙ୍କା ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ: ଚିକିତ୍ସା ପାଇଁ ଅର୍ଥ ଦେଲାନି ଭଉଣୀ, ଗୁଳି କଲା ସଇତାନ ଭାଇ

ତେବେ ଗୁଳିମାଡ ସମୟରେ ଏହି ବିବାଦର ସମାଧାନ ପାଇଁ ଆସିଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଯୁବକ ଜୋହଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁଳି ଚଳାଇବା ପରେ ମୁଲଦାମ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ସେପଟେ ସୂଚନା ପାଇ ରାମମାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଘଟଣାସ୍ଥଳରୁ ଗୁଳି ଜବତ କରିଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିସୋର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାର ଯାଞ୍ଚ ମଧ୍ୟ କରାଯାଉଛି । ପୋଲିସ ହତ୍ୟା ଏବଂ ଆର୍ମସ୍ ଆକ୍ଟ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ଶ୍ରୀକ୍ଷେତ୍ରରେ ଗୁଳିକାଣ୍ଡ ପରେ ବୋମାମାଡ଼: ହତ୍ୟାକାଣ୍ଡର ସାଖୀଙ୍କ ଘର ଉପରକୁ ବମ୍ ଫିଙ୍ଗିଲେ ଦୁବୃର୍ତ୍ତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details