ଓଡିଶା

odisha

କୋଭିଡ୍‌-19ର ଚିକିତ୍ସା ପାଇଁ ଆଣ୍ଟିବଡି ସନ୍ଧାନରେ ସଫଳତା ମିଳିଛି, ପ୍ରତିଷେଧକ ଟିକା ନୁହେଁ: ଇସ୍ରାଏଲ ରାଷ୍ଟ୍ରଦୂତ

By

Published : May 7, 2020, 1:28 PM IST

କୋରୋନା ଭାଇରସ୍‌ ଚିକିତ୍ସା ଲାଗି ଏକ ଆଣ୍ଟିବଡି ପରୀକ୍ଷଣରେ ଇସ୍ରାଏଲ ଏକ ‘ଉନ୍ନୀତ ପର୍ଯ୍ୟାୟ’ରେ ପହଞ୍ଚିବା ସହ‘ମହତ୍ତ୍ବପୂର୍ଣ୍ଣ ପ୍ରଗତି ହାସଲ’ କରିଛି ବୋଲି ଇସ୍ରାଏଲ୍‌ର ରାଷ୍ଟ୍ରଦୂତ କହିଛନ୍ତି । କିନ୍ତୁ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ପରୀକ୍ଷଣ ଠିକ୍‌ କେଉଁ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ପରବର୍ତ୍ତୀ ସମୟରେ ଏହାକୁ କୋଭିଡ୍‌-19ର ପ୍ରତିରୋଧ ଲାଗି ପ୍ରତିଷେଧକ ଟିକା ଭାବରେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଏହି ସମୟରେ କହିବା କଷ୍ଟକର ।

corona article
କୋଭିଡ୍‌-19ର ଚିକିତ୍ସା ପାଇଁ ଆଣ୍ଟିବଡି ସନ୍ଧାନରେ ସଫଳତା ମିଳିଛି, ପ୍ରତିଷେଧକ ଟିକା ନୁହେଁ

କୋରୋନା ଭାଇରସ୍‌ ଚିକିତ୍ସା ଲାଗି ଏକ ଆଣ୍ଟିବଡି ପରୀକ୍ଷଣରେ ଇସ୍ରାଏଲ ଏକ ‘ଉନ୍ନୀତ ପର୍ଯ୍ୟାୟ’ରେ ପହଞ୍ଚିବା ସହ‘ମହତ୍ତ୍ବପୂର୍ଣ୍ଣ ପ୍ରଗତି ହାସଲ’ କରିଛି ବୋଲି ଇସ୍ରାଏଲ୍‌ର ରାଷ୍ଟ୍ରଦୂତ କହିଛନ୍ତି । କିନ୍ତୁ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ପରୀକ୍ଷଣ ଠିକ୍‌ କେଉଁ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ପରବର୍ତ୍ତୀ ସମୟରେ ଏହାକୁ କୋଭିଡ୍‌-19ର ପ୍ରତିରୋଧ ଲାଗି ପ୍ରତିଷେଧକ ଟିକା ଭାବରେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଏହି ସମୟରେ କହିବା କଷ୍ଟକର ।

ରାଷ୍ଟ୍ରଦୂତ ଡକ୍ଟର ରନ୍‌ ମଲ୍‌କା କହିଲେ, “ସରକାରୀ ସ୍ତରରେ ଆମେ ଉଭୟ ପକ୍ଷର (ଭାରତ ଏବଂ ଇସ୍ରାଏଲ) ବୈଜ୍ଞାନିକ ଏବଂ ବୃତ୍ତିଧାରୀମାନଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ ସହିତ ସେମାନଙ୍କୁ ନିୟୋଜିତ କରି ଏକ ପ୍ରତିଷେଧକ ଟିକା କିମ୍ବା ଆଣ୍ଟିବଡି ବା ପ୍ରତିରୋଧକ ପିଣ୍ଡର ବିକାଶ ଦିଗରେ ସେମାନେ କିଭଳି ଏକତ୍ର କାମ କରିପାରିବେ କିମ୍ବା ଏକ ମିଳିତ ଉଦ୍ୟମ ଚଳାଇ ପାରିବେ ତାହା ଦେଖୁଛୁ । ଏହି ନିର୍ଦ୍ଦିଷ୍ଟ ଆଣ୍ଟିବଡି ହୁଏତ ପରବର୍ତ୍ତୀ ସମୟରେ ଏକ ପ୍ରତିଷେଧକ ଟିକା ରୂପେ ବ୍ୟବହୃତ ହୋଇପାରେ କିନ୍ତୁ ବର୍ତ୍ତମାନ ପାଇଁ ଏହା ଏକ ଟିକା ନୁହେଁ, ବରଂ ଶରୀରରେ ଭୂତାଣୁ ନାଶ କରିବା ଲାଗି ଉଦ୍ଦିଷ୍ଟ ଏକ ଔଷଧ ।”

ଏହି ବିଶ୍ବ ମହାମାରୀର ଏକ ସମାଧାନ ଖୋଜିବା ଲାଗି ଭାରତ ଏବଂ ଇସ୍ରାଏଲ ପରସ୍ପରକୁ ନିବିଡ଼ ସହଯୋଗ କରୁଛନ୍ତି ବୋଲି ସୂଚାଇ ଦେବା ସହିତ ରାଷ୍ଟ୍ରଦୂତ କହିଥିଲେ ଯେ, ଉଭୟ ଦେଶର ମିଳିତ ଉଦ୍ୟମରେ ସ୍ବଳ୍ପ ମୂଲ୍ୟର ଇନ୍‌କ୍ୟୁବେଟରରୁ ଆରମ୍ଭ କରି ଅନ୍ୟ ଉପକରଣ ଏବଂ ଯନ୍ତ୍ରପାତି ନିର୍ମାଣ ପର୍ଯ୍ୟନ୍ତ ପ୍ରାୟ 50ଟି ପ୍ରସ୍ତାବିତ ବିଷୟ ଉପରେ ଗବେଷଣା ଜାରି ରହିଛି । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶର ବିଶେଷଜ୍ଞମାନଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ ସହିତ ତଥ୍ୟ ବିଶ୍ଳେଷଣରୁ ଆରମ୍ଭ କରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପଦ୍ଧତିରେ ପାରସ୍ପରିକ ଉପଲବ୍ଧି ବିନିମୟ ପାଇଁ ଇସ୍ରାଏଲ ଏକ ସଂପର୍କ ସ୍ଥାପନ ବ୍ୟବସ୍ଥା ପ୍ରସ୍ତୁତ କରିଛି । ଜୋର ଦେଇ ସେ କହିଥିଲେ ଯେ, “ଏହି ସଙ୍କଟ ଭାରତ ଓ ଇସ୍ରାଏଲକୁ ଆହୁରି ନିକଟତର କରିଛି । ପରସ୍ପର ପ୍ରତି ଥିବା ବିଶ୍ବାସ ଓ ସମ୍ମାନ ଦୃଷ୍ଟିରୁ ଆମେ ଭାରତକୁ ଏକ ଘନିଷ୍ଠ ଏବଂ ମୂଲ୍ୟବାନ ବନ୍ଧୁ ରୂପେ ବିବେଚିତ କରୁ ।”

ପୂର୍ବରୁ, ସୋମବାର ଦିନ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫତାଲି ବେନେଟ୍‌ ଏକ ବିବୃତିରେ କହିଥିଲେ, “ଇସ୍ରାଏଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚର ଗବେଷଣାରୁ ପ୍ରସ୍ତୁତ ଏହି ମନୋକ୍ଲୋନାଲ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି, ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କୋରୋନା ଭାଇରସ୍‌କୁ ପ୍ରଭାବହୀନ କରିଦେଇପାରେ ।” ଇସ୍ରାଏଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବାୟୋଲୋଜିକାଲ ରିସର୍ଚ୍ଚର ନିର୍ଦ୍ଦେଶକଙ୍କ ବକ୍ତବ୍ୟ ଉଦ୍ଧାର କରି ଏହି ବିବୃତିରେ କୁହାଯାଇଛି ଯେ, ଏହି ଆଣ୍ଟିବଡି ଫର୍ମୁଲାର ପେଟେଣ୍ଟ (ସ୍ବତ୍ବ ସଂରକ୍ଷଣ) କରାଯାଉଛି ଏବଂ ବହୁଳ ମାତ୍ରାରେ ଏହାର ଉତ୍ପାଦନ ଲାଗି ପରବର୍ତ୍ତୀ ସମୟରେ ଏକ ବିଶ୍ବସ୍ତରୀୟ ପ୍ରସ୍ତୁତକାରୀ ସଂସ୍ଥାକୁ ପ୍ରଦାନ କରାଯିବ । ଅନୁରୂପ ସଫଳତା ପାଇଛି ବୋଲି ନେଦରଲାଣ୍ଡ୍‌ସ୍‌ ମଧ୍ୟ ଦାବି କରିଛି ।

AJC(ଆମେରିକାନ ଜିୱିସ୍‌ କମିଟି)ର ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଭାଗ ନେଇଥିବା ମନୋନୀତ ସାମ୍ବାଦିକମାନଙ୍କୁ ଡକ୍ଟର ମଲ୍‌କା କହିଥିଲେ ଯେ, ଯଦି ବହୁ ପରିମାଣରେ ଏହି ଆଣ୍ଟିବଡି ପ୍ରସ୍ତୁତ କରାଯାଏ, ତେବେ ତାହା କେବେ ହେବ ସେ ସଂପର୍କିତ ନିର୍ଦ୍ଦିଷ୍ଟ ବିବରଣୀ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏ ସଂପର୍କରେ ମନ୍ତବ୍ୟ ଦେଇ ରାଷ୍ଟ୍ରଦୂତ କହିଥିଲେ, “ମୁଁ ଜାଣିନି ଏହା ଠିକ୍‌ କେଉଁ ପର୍ଯ୍ୟାୟରେ ରହିଛି, କିନ୍ତୁ ଏହା ଏକ ଉନ୍ନୀତ ପର୍ଯ୍ୟାୟରେ ଅଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଏହାର ଉତ୍ପାଦନ ହୋଇପାରିବ ଏବଂ ସମସ୍ତଙ୍କ ଉପଯୋଗିତା ପାଇଁ ଉପଲବ୍ଧ କରାଯାଇପାରିବ ବୋଲି ଆଶା କରାଯାଉଛି ।

ଏ ସଂପର୍କରେ ମୁଁ ଯେତେ ଦୂର ପର୍ଯ୍ୟନ୍ତ ଜାଣିଛି, ତାହା ଏତିକି । ହୁଏତ ଏକ ପ୍ରତିଷେଧକ ଟିକା କିମ୍ବା ଔଷଧ, ଆଣ୍ଟିବଡି, ଆଣ୍ଟିଡୋଟ୍‌ ପ୍ରସ୍ତୁତ କରିବା ଲାଗି ଆମେ ବିଭିନ୍ନ ଉପାୟରେ, ବିଭିନ୍ନ ଉଦ୍ୟମ ଚଳାଇଛୁ । ଆମେ ଏହି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟରତ ଅଛୁ । ସଫଳତା ନ ପାଇଲା ପର୍ଯ୍ୟନ୍ତ ଆମେ ସଂକ୍ରମଣ ରୋକିବା ଲାଗି ଯାହା କରିପାରିବୁ ତାହା କରିବୁ ।” ଇସ୍ରାଏଲର 16000 ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 10000ରୁ ଅଧିକ ସଂପୂର୍ଣ୍ଣ ରୋଗମୁକ୍ତ ହୋଇଛନ୍ତି, ପ୍ରାୟ 5000 ଲୋକ ଏବେ ବି ସଂକ୍ରମିତ ଅବସ୍ଥାରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ 70 ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ଏବଂ ମୃତ୍ୟୁସଂଖ୍ୟା 230 ରହିଛି, ଯାହା କି ତୁଳନାତ୍ମକ ଭାବେ କମ୍‌ ବୋଲି ରାଷ୍ଟ୍ରଦୂତ ସୂଚନା ଦେଇଥିଲେ । ସେ କହିଲେ, ଦେଶ ଭିତରକୁ ଆସୁଥିବା ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରିବା ଏବଂ ଲକ୍‌ଡାଉନ୍‌ ଲାଗୁ କରିବାରେ ଇସ୍ରାଏଲ ଅନ୍ୟତମ ପ୍ରଥମ ଦେଶ ଏବଂ ଏବେ ଜୀବନ ଓ ଜୀବିକା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ଲାଗି ଏହାକୁ କୋହଳ କରାଯାଉଛି ।

ଅର୍ଥବ୍ୟବସ୍ଥାକୁ ପୁଣି ମୂଳରୁ ଆରମ୍ଭ କରାଯିବ ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ରହିଲେ ପରୀକ୍ଷାମୂଳକ ଭାବେ କଟକଣା ପ୍ରତ୍ୟାହାର କରାଯିବ ବୋଲି ସେ କହିଥିଲେ । ଲକ୍‌ଡାଉନ୍‌ ପ୍ରତ୍ୟାହାର ରଣନୀତି ସଂପର୍କରେ ଭାରତ ଓ ଇସ୍ରାଏଲ ମଧ୍ୟରେ ତଥ୍ୟ ବିନିମୟ ମଧ୍ୟ ହେଉଛି । ଷ୍ଟାର୍ଟଅପ୍‌ ଏବଂ ନୂତନ ଜ୍ଞାନକୌଶଳ କ୍ଷେତ୍ରରେ ସୁପରିଚିତ ଇସ୍ରାଏଲ ଏହି ଭୂତାଣୁ ସହ ଲଢ଼ିବାରେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ପ୍ରୟୋଗ କରିଛି ଏବଂ ରୋଗ ପରୀକ୍ଷଣ କେନ୍ଦ୍ରରେ 3ଡି ପ୍ରିଣ୍ଟିଂ ଅଭିଯାନ, ଭୂତାଣୁ ବିରୋଧୀ କପଡ଼ା ଓ ବସ୍ତ୍ରରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଶସ୍ତା ଏବଂ ସହଜରେ ଭେଣ୍ଟିଲେଟର ଉପଲବ୍‌ଧ କରାଇବା କ୍ଷେତ୍ରରେ ଅଗ୍ରଣୀ ଭୂମିକାରେ ରହିଆସିଛି ।

କୋଭିଡ୍‌-19 ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ ଲାଗି ପ୍ରଯୁକ୍ତିବିଦ୍ୟା ଓ ମୋବାଇଲ ଆପ୍ଲିକେସନ୍‌ ଉପଯୋଗ ସପକ୍ଷରେ ରାଷ୍ଟ୍ରଦୂତ କହିଲେ ଯେ, ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଲାଗି ସଠିକ୍‌ ଭାରସାମ୍ୟ ସହିତ ସୀମାରେଖା ନିର୍ଦ୍ଧାରଣ ସୁନିଶ୍ଚିତ ହେବା ଦରକାର । ସେ କହିଲେ, “ସମସ୍ତଙ୍କର ଅଧିକାର, ବ୍ୟକ୍ତିଗତ ଗୋପନୀୟତା ଏବଂ ସ୍ବାଧୀନତାକୁ ସମ୍ମାନ ଦେଉଥିବା ଇସ୍ରାଏଲ ଏକ ସମୁଜ୍ଜ୍ବଳ ଗଣତନ୍ତ୍ର ହୋଇଥିବାରୁ, ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ନକରି ଭାରସାମ୍ୟ ରକ୍ଷା କରିବା ଆମର ସର୍ବପ୍ରଥମ ଏବଂ ମହତ୍ତ୍ବପୂର୍ଣ୍ଣ ଆବଶ୍ୟକତା ହେବା ଦରକାର । କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏହି ପ୍ରଯୁକ୍ତିବିଦ୍ୟା ହିଁ ଆମକୁ

ଲୋକଙ୍କୁ ଜୀବନ ରକ୍ଷା କରିବାରେ ମଧ୍ୟ ସହାୟତା କରିପାରିବ । ତେଣୁ ଭାରସାମ୍ୟ ବଜାୟ ରଖିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ ।”

ଭାରତ ସରକାରଙ୍କ ଆରୋଗ୍ୟ ସେତୁ ଆପ୍‌ ସଂପର୍କିତ ସମାଲୋଚନା ପ୍ରସଙ୍ଗରେ ସେ କହିଲେ ଯେ ପ୍ରଯୁକ୍ତିବିଦ୍ୟାର ଫଳପ୍ରଦ ଉପଯୋଗ କ୍ଷେତ୍ରରେ ବିଶ୍ବାସ ନିହାତି ଗୁରୁତ୍ବପୂର୍ଣ୍ଣ କଥା । ଡକ୍ଟର ମଲକା କହିଲେ, “ଇସ୍ରାଏଲରେ ଏହା ଏତେ ଭଲ ଭାବରେ କାର୍ଯ୍ୟ କରିବାର ମୂଳକଥା ହେଉଛି ବିଶ୍ବାସ । ଲୋକେ ଏହାକୁ କାହିଁକୁ ବ୍ୟବହାର କରୁଛନ୍ତି, ତାହାକୁ ଆପଣ ବୁଝିବା ଏବଂ ବିଶ୍ବାସ କରିବା ଉଚିତ । ଅନ୍ୟ ସମୟରେ ଏଭଳି ଉପାୟରେ ଲୋକଙ୍କୁ ଠାବ କରିବାକୁ ପ୍ରସ୍ତାବ ଦେବା ଲାଗି ବି କେହି ସାହସ କରିବେ ନାହିଁ ।” ସେ ଆହୁରି କହିଲେ, “କିନ୍ତୁ ଆମେ ବୁଝିଛୁ ଯେ ପ୍ରଯୁକ୍ତିବିଦ୍ୟା ଲୋକଙ୍କ ଜୀବନରକ୍ଷା କରିପାରେ । ଯଦି ଏହା ଉପଯୁକ୍ତ ନିୟନ୍ତ୍ରଣ ଓ ସନ୍ତୁଳନ ସହିତ ସୀମିତ ସମୟ ପାଇଁ ଏବଂ ବିଭିନ୍ନ କର୍ତ୍ତୃପକ୍ଷଙ୍କ ତଦାରଖରେ ଓ ଗାଣତାନ୍ତ୍ରିକ ନୀତି ଓ ଆଦର୍ଶ ଅନୁସାରେ ହେଉଛି, ତେବେ ଏହାକୁ ଆମେ କାର୍ଯ୍ୟକାରୀକରିବା ଦରକାର ।

ଆମେ ଯଦି ପରସ୍ପରକୁ ବିଶ୍ବାସ କରୁ, ତାହେଲେ ଏକତା ଏବଂ ବୁଝାମଣା ରହିବ ଏବଂ ତେବେ ଯାଇ ଏହା ଗ୍ରହଣୀୟ ହୋଇପାରିବ ।” ବିବାଦୀୟ ୱେଷ୍ଟ୍‌ ବ୍ୟାଙ୍କ ଅଞ୍ଚଳର ଲୋକେ ଲୋକେ ପରିମଳ ବ୍ୟବସ୍ଥା ଏବଂ ପରିଷ୍କାର ପାଣି ନ ପାଇ ଦୁଃଖକଷ୍ଟ ଭୋଗିବା ସଂପର୍କିତ ରିପୋର୍ଟ ପ୍ରସଙ୍ଗରେ ସେ କହିଲେ ଯେ ‘ଏହି ଭୂତାଣୁର ମୁକାବିଲା ଲାଗି ଉପଲବ୍‌ଧ ସର୍ବୋତ୍ତମ ସହାୟତା ଏବଂ ସୁବିଧା’ ଯୋଗାଇ ଦେଇ ଇସ୍ରାଏଲ, ପାଲେଷ୍ଟାଇନ୍‌ର ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲା । କେତେକ ପ୍ରଶ୍ନର ଉତ୍ତରରେ ସେ କହିଲେ, “ଅନ୍ୟ ସମୟ ତୁଳନାରେ ବର୍ତ୍ତମାନ ବନ୍ଧୁ ଓ ପଡ଼ୋଶୀମାନଙ୍କ ସହ ମିଳିମିଶି କାମ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ, କାରଣ ଏହି ଭୂତାଣୁ ସମସ୍ତଙ୍କର ଶତ୍ରୁ । କେତେକ ସଂକ୍ରମଣ ତ ରହିଛି, ହେଲେ ନିୟନ୍ତ୍ରଣ ବାହାରେ ନୁହେଁ । ଆମେ ଯେତେ ଦୂର ପାରିବୁ ସେତେ ସାହାଯ୍ୟ କରୁଛୁ । ଯଦି ଏହା ଆମ ପଡ଼ୋଶୀଙ୍କ ସମସ୍ୟା, ତେବେ ସେଆସି ଆମ କବାଟ ବାଡ଼େଇ ପାରିବେ ।”

ଅନ୍ୟ ଉପରେ ଦୋଷାରୋପ କରିବା ଏବଂ ଏହି ଭୂତାଣୁର ଉତ୍ପତ୍ତି ସ୍ଥଳକୁ କେନ୍ଦ୍ର କରି ଚୀନ୍‌ ବିରୋଧରେ ହୋଇଥିବା ଅଭିଯୋଗ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ ବର୍ତ୍ତମାନ ପାଇଁ ଆମେ ଭୂତାଣୁ ବିରୋଧରେ ଲଢ଼ିବା ଉପରେ ଧ୍ୟାନକେନ୍ଦ୍ରିତ କରୁଛୁ । ଡକ୍ଟର ମଲକା କହିଲେ, “ଏହା କେଉଁଠୁ ଏବଂ କାହିଁକି ଆସିଲା, ପରେ ଆମେ ସେ କଥା ବୁଝିବା । ବର୍ତ୍ତମାନ ସମୟରେ ଇସ୍ରାଏଲ ଏଥିରେ କୌଣସି ଭାବରେ ସଂପୃକ୍ତ ନୁହେଁ । ଏକ ପ୍ରତିଷେଧକ ଟିକା ପ୍ରସ୍ତୁତିର ପ୍ରୟାସ ଉପରେ ଆମର ସବୁ ଶକ୍ତି ଓ ଧ୍ୟାନ ଲାଗି ରହିଛି ।”

ସ୍ମିତା ଶର୍ମା, ନୂଆଦିଲ୍ଲୀ, 6 ମେ, 2020

ABOUT THE AUTHOR

...view details