ଇମ୍ପାଲ: ଜଳୁଛି ମଣିପୁର । ଅଶାନ୍ତ ମଣିପୁରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ସୀମା ପାର କରୁଛି ବର୍ବରତା । ମଣିପୁରରେ ସଂରକ୍ଷଣକୁ ନେଇ ଲାଗି ରହିଥିବା ସଂଘର୍ଷ ଥମିବାର ନାମ ନେଉନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଶତ ଚେଷ୍ଟା ସତ୍ତ୍ବେ ହିଂସା ଉପରେ ନିୟନ୍ତ୍ରଣ ଆସୁନାହିଁ । ସୁପ୍ରିମକୋର୍ଟରୁ ନେଇ ସଂସଦ ଯାଏ କମ୍ପନ ସୃଷ୍ଟି ହୋଇଛି । ନୃଶସଂତା ଓ ହିଂସାର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ବିଷ୍ଣୁପୁର ଜିଲ୍ଲା ସୀମାକୁ ଲାଗି ଚୁରାଚାନ୍ଦପୁର ଜିଲ୍ଲା ତୋରବୁଙ୍ଗ ଅଞ୍ଚଳରେ ଦୁର୍ବୃତ୍ତମାନେ ପାଖାପାଖି 10 ଘର ଓ ଗୋଟିଏ ସ୍କୁଲ ଘରେ ନିଆଁ ଲଗାଇ ଦେଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ମଣିପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,''ଶନିବାର ସନ୍ଧ୍ୟାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଜଣେ ସ୍ଥାନୀୟ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି ମହିଳାଙ୍କ ନେତୃତ୍ବରେ ଟୋରବଙ୍ଗ ବଜାର ସ୍ଥିତ ଏକ ହାଇସ୍କୁଲରୁ ନିଆଁ ଲାଗାଇ ଦିଆଯାଇଛି । ଆକ୍ରମଣକାରୀଙ୍କୁ ଦେଖି ଭୟଭୀତ ହୋଇଯାଇଥିଲୁ । କିଛି କରିପାରୁ ନଥିଲୁ କାରଣ ମହିଳାମାନଙ୍କ ନେତୃତ୍ବରେ ଏପରି ପରିସ୍ଥିତି ଉପୁଜିଥିଲା । ଆକ୍ରମଣକାରୀ ବିଏସଫଙ୍କ ଗାଡି ଛଡାଇ ନେଇଥିଲେ ଓ ଆମ ଘରେ ନିଆଁ ଲଗାଇ ଦେଇଥିଲେ ।''