ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
Published : Mar 9, 2024, 10:32 PM IST
Youth Allegedly Attacked: ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ସହର ଉପକଣ୍ଠର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳର ଉଗ୍ରରୂପ ମଧ୍ୟ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ.... ବରକନ୍ଦାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ
ଉଭୟ ଗୋଷ୍ଠୀ ଗତକାଲି ରାତିରେ ବାଲେଶ୍ୱର ସହରରେ ମୁହାଁମୁହିଁ ହୋଇଥିଲେ। ଆଜି ଦିନ ଗୋଟାଏ ବେଳେ ଗୋଟିଏ ଗୋଷ୍ଠୀର କିଛି ଯୁବକ ନୀଳଗିରି ଅଞ୍ଚଳକୁ ଯାଇ ରାଡାର ଠାରେ ଫଟୋ ଉଠାଉଥିଲେ । ତେବେ ଅପର ଗୋଷ୍ଠୀର ୨୦ରୁ ଊର୍ଦ୍ଧ୍ବ ଯୁବକ ସେଠାରେ ପହଞ୍ଚି ସେମାନଙ୍କ ଉପରେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଜଣେ ଯୁବକଙ୍କ ହାତ ତେଲେଙ୍ଗା କଟୁରି ଚୋଟରେ କଟିଯାଇଛି । ଗୁରୁତର ଭାବେ ସ୍ଥାନୀୟ ଲୋକ ଓ ସମୃକ୍ତ ଯୁବକଙ୍କ ସହ ଯାଇଥିବା ଯୁବକମାନେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଲେ ସହଦେବଖୁଣ୍ଟା ଥାନା କେଶପୁର ଅଞ୍ଚଳର ରାଜେଶ ନାୟକଙ୍କ ପୁଅ କମଲ ନାୟକ । ଖବର ପାଇ ନୀଳଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପଟେ ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ପୁଲିସ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ପୋଲିସ ତଦନ୍ତ ପରେ ପ୍ରକୃତ ଦୋଷୀମାନଙ୍କୁ କାବୁ କରିବା ନେଇ ସୂଚନା ମିଳିଛି ।
ଇଟିଭି ଭାରତ, ବାଲେଶ୍ୱର