ଗଜପତି:ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି । ଗଜପତି ଜିଲ୍ଲାର ୩ଟି ଗ୍ରାମର ଏକ ପ୍ରତିନିଧୀ ଦଳ ଗତକାଲି(ମଙ୍ଗଳବାର) ଜିଲ୍ଲାପାଳଙ୍କୁ ଭେଟି ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଏହି କାମ ନ ହେଲେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ।
ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ପକ୍କା ରାସ୍ତାଟିଏ ନ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇଁ ଏହି ତିନି ଗାଁର ଲୋକଙ୍କୁ ପ୍ରାୟ ୭କିମି ରାସ୍ତା ଚାଲିବାକୁ ପଡୁଛି । ଏହା ମାଟି ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ କାଦୁଅ ଯୋଗୁଁ ଲୋକେ ଗାଁରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେଣୁ ଏହି ରାସ୍ତା ନିର୍ମାଣ ପାଇଁ ଏହି ୩ଟି ଗାଁର ଲୋକେ ଗତ ୨୦୧୦ ମସିହାରୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏନେଇ ଗତ ୧୩ ତାରିଖରେ ମଧ୍ୟ ତୁବୁରୁସିଙ୍ଗି, ବାଲିଗୁମ୍ମା ଓ ବେନୁସାହି ଆଦି ୩ ଗ୍ରାମର ଶତାଧିକ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ କୌଣସି ସମାଧାନ ନ ହେବାରୁ ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ପ୍ରତିନିଧୀ ଦଳ । ତେବେ ତୁରନ୍ତ ଏହି ରାସ୍ତା ନିର୍ମାଣ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।