ଭୁବନେଶ୍ବର: ଶିଳ୍ପ ମହାକୁମ୍ଭରୁ ଓଡିଶାକୁ ଛୁଟିବ ନିବେଶ ସମ୍ଭାର । ଆଜିଠୁ ଆରମ୍ଭ ହୋଇଥିବା ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀର ପ୍ରଥମ ଦିନରେ ସ୍ବାକ୍ଷର ହେଉଛି ୫୪ ଚୁକ୍ତିନାମା । ବିଭିନ୍ନ ଶିଳ୍ପ ସମୂହ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡିଶାକୁ ଆସିବାକୁ ଯାଉଛି । ଏହା ଭିତରୁ ସବୁଠୁ ବଡ ଚୁକ୍ତି ‘ଆଦାନୀ’ ଗ୍ରୁପ ସହ ସ୍ବାକ୍ଷର କରିଛି ଓଡିଶା ।
- ପ୍ରଥମ ଦିନରେ ସାଢେ 4 ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଲା ସମ୍ମିଳନୀ
୫୪ଟି ଏମଓୟୁରୁ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସୂଚନା ଅନୁଯାୟୀ ଆଦାନୀ ଗ୍ରୁପ ସହ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣା ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ ସହ ଏମଓୟୁ ହୋଇଛି । ଏଥିରେ ପ୍ରାୟ ୩୦ ରୁ ୪୦ ହଜାର କୋଟି ପୁଞ୍ଜିନିବେଶ ହେବ। ଆଜି ସ୍ବାକ୍ଷରିତ ହୋଇଥିବା ମୋଟ ଚୁକ୍ତିନାମାରେ ଓଡିଶା ମୋଟ ସାଢେ 4 ଲକ୍ଷରୁ ଅଧିକ ଟଙ୍କାର ନିବେଶ ପାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।
- ବଡ ନିବେଶ କଲେ ଆଦାନୀ, ଜିନ୍ଦଲ ଓ ବିର୍ଲା
୨.୨୮ ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ଆଦାନୀ ଗ୍ରୁପ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ ଚୁକ୍ତି ହୋଇଛି ।JSPL ଗ୍ରୁପ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
- ବିଭିନ୍ନ କାର୍ଯ୍ୟକ୍ଷମ ପ୍ଲାଣ୍ଟର ବଢିବ ଉତ୍ପାଦନ କ୍ଷମତା
ସେହିପରି ବିଭିନ୍ନ କ୍ଷେତ୍ରରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ବିଭିନ୍ନ ମେଗା ପ୍ଲାଣ୍ଟର କ୍ଷମତା ମଧ୍ୟ ବୃଦ୍ଧି ହେବ । ବିଭିନ୍ନ କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି ଅନେକ ଜଣାଶୁଣା ବହୁଦେଶୀୟ ଶିଳ୍ପ ସଂସ୍ଥା । ଏନେଇ ଆଜି ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଶିଳ୍ପ ସଂସ୍ଥା ଚୁକ୍ତିନାମା କରିଛନ୍ତି । ବେଦାନ୍ତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍ (JSPL) ଓ ଆଦିତ୍ୟ ବିର୍ଲା ଗ୍ରୁପ ପ୍ରମୁଖ ନିବେଶ ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ।
- ଜିନ୍ଦଲ କରିବ ଏକ ଲକ୍ଷ କୋଟିର ନିବେଶ
ବିଶିଷ୍ଟ ଉଦ୍ୟୋଗୀ ତଥା ‘JSPL’ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି," ଓଡିଶା ମୋର କର୍ମଭୂମି । ଓଡିଶା ଏକ ବିକଶିତ ହେଉ ଆମେ ଆଶା କରିବୁ । ଆଗକୁ ଆମେ ନିବେଶ କରିବା ସହ ଓଡିଶା ସରକାରଙ୍କ ସହ ମିଶି କାର୍ଯ୍ୟ କରିବୁ । ଆଜି 1 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଚୁକ୍ତି କରିଛୁ । 45 ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ । 2 ଲକ୍ଷ ଲୋକ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ଆସନ୍ତା ବର୍ଷକ ମଧ୍ୟରେ ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣ ହେବ । ଉତ୍ପାଦନ କ୍ଷମତା 6 ମିଲିଅନ ଟନକୁ 12 ମିଲିଅନ ଟନ୍ କରାଯିବ । 2030 ପୂର୍ବରୁ ଏହାକୁ 2 ଗୁଣା ବଢ଼େଇ 25 ମିଲିଅନ ଟନ୍ କରାଯିବ । ଯାହା ଗୋଟିଏ ସ୍ଥାନରେ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ହେବ । ଏହା ଆମର ସ୍ବପ୍ନ ଓ ପରିକଳ୍ପନା । ଓଡିଶାର ଅର୍ଥନୀତିକୁ ସୁଦୃଢ କରିବା ଲାଗି ଆଜି ମଧ୍ୟ କୋଟି କୋଟି ଟଙ୍କା ଟ୍ୟାକ୍ସ ଦେଉଛୁ । ଆଗକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଆହୁରି ବଢିବ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଆମେ ଚେଷ୍ଟା କରିବୁ ।’’
- ପୂର୍ବ ନିବେଶ ରାଶିକୁ 2 ଗୁଣା କରିବା ବିର୍ଲା ଗ୍ରୁପ
ସେହିପରି ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା କହିଛନ୍ତି,"ଓଡିଶାରେ ଆମେ ଦୀର୍ଘ ସମୟ ଧରି ନିବେଶ କରି ଆସିଛୁ । ଏଠାରେ ଆମେ ବହୁ ବର୍ଷ ହେଲା ଅଛୁ । ଆମେ ଓଡିଶାରେ 50 ହଜାର କୋଟି ଟଙ୍କା ନିବେଶ କରିସାରିଛୁ । ଓଡ଼ିଶାରେ ଆମେ ଆଉ 50 ହଜାର କୋଟି ନିବେଶ କରିବ ଯୋଜନା ରଖିଛୁ । ଆଲୁମିନିୟମ ରିଫାଇନାରୀ ଓ ଆଲୁମିନିୟମ ସ୍ମେଲଟିଙ୍ଗ ଶିଳ୍ପ ପ୍ରତିଷ୍ଠା କରିବୁ । ଏହି ଦୁଇଟି କ୍ଷେତ୍ରରେ ଆମେ ଆଗକୁ ନିବେଶ କରିବାକୁ ଯାଉଛୁ ।’’ ଓଡିଶାର ଶିଳ୍ପ ଉପଯୋଗୀ ଭିତ୍ତିଭୂମି ସହ ବିର୍ଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- |