ଓଡିଶା

odisha

ETV Bharat / state

ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ - PRAVASI BHARATIYA DIVAS

ଆସୁଛନ୍ତି 7 ହଜାର ଅତିଥି । ଦେଖିବେ ଓଡିଶାର କଳା ସଂସ୍କୃତିର ଝଲକ୍‌ । ସୁରକ୍ଷାରୁ ନେଇ ପରିମଳ, ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି । ପହଞ୍ଚିଲା ଦୁଇଟି ଡବଲଡେକର ବସ୍‌ ।

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ, ପହଞ୍ଚିଲା ଡବଲ-ଡେକର ବସ୍‌
ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ, ପହଞ୍ଚିଲା ଡବଲ-ଡେକର ବସ୍‌ (ETV Bharat Odisha)

By ETV Bharat Odisha Team

Published : Jan 2, 2025, 8:39 PM IST

Updated : Jan 2, 2025, 10:16 PM IST

ଭୁବନେଶ୍ବର: ଚଳିତମାସ ୮ ତାରିଖରୁ ଜନତା ମୈଦାନରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ’ । ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀର ରାସ୍ତା ଓ ଗଳିକନ୍ଦି । ସେହିପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ଅତିଥିଙ୍କ ଯାତାୟତ ପାଇଁ ଭୁବନେଶ୍ବରରେ ପହଞ୍ଚିଛି
ଡବଲ-ଡେକର ବସ ।

  • ରଜଧାନୀର କାନ୍ଥବାଡରେ ଉତ୍କଳୀୟ କଳା ସଂସ୍କୃତିର ଝଲକ:-

କାର୍ଯ୍ୟକ୍ରମରେ ହଜାର ହଜାର ଅତିଥି ସାମିଲ ହେବାକୁ ହେବାକୁ ଯାଉଛନ୍ତି । ଏହି ଜାତୀୟ ସ୍ତରୀୟ ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ସମଗ୍ର ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଛି । ସରକାର ମଧ୍ୟ ଆତିଥେୟତାରେ ଯେପରି କୌଣସି ହେଳା ନହୁଏ, ସେନେଇ ସମସ୍ତ ପ୍ରୟାସ କରୁଛନ୍ତି । ରାସ୍ତାକଡର ସୌନ୍ଦର୍ଯ୍ୟ, କାନ୍ଥବାଡରେ ଓଡିଶାର ସଂସ୍କୃତି ଓ ପରମ୍ପରାର ଝଲକ୍‌ ଦେଖିବାକୁ ମିଳିଲାଣି । ବିମାନ ବନ୍ଦରରୁ ପ୍ରଦର୍ଶନୀ ପଡିଆ, ନନ୍ଦନକାନନ ଏବଂ ରାଜଧାନୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ପାରମ୍ପରିକ ଓଡ଼ିଆ ଓ ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ । ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ରାଜଧାନୀର ପରିମଳ ବ୍ୟବସ୍ଥା, ରାସ୍ତାକଡର ସୌନ୍ଦର୍ଯ୍ୟ, କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା ଆଦି ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ, ପହଞ୍ଚିଲା ଡବଲ-ଡେକର ବସ୍‌ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପ୍ରବାସୀ ଭାରତୀୟ ଦିବସ: ସାମିଲ ହେବେ ୧୪୦ ଦେଶର ପ୍ରତିନିଧି, ଗଡିବ ୫ ଡବଲ ଡେକର ବସ

‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

  • ଓଡ଼ିଶାରେ ପହଞ୍ଚିଲା ଡବଲ-ଡେକର ବସ୍‌ :-

ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରଥମ ଇଲେକ୍ଟ୍ରିକ୍‌ ଡବଲ-ଡେକର ବସ ଓଡିଶାରେ ପହଞ୍ଚିଛି । ମହାରାଷ୍ଟ୍ରରୁ ୨ଟି ଡବଲ-ଡେକର ବସ ଓଡ଼ିଶା ଅଭିମୁଖେ ବାହାରି ଆନ୍ଧ୍ର ପ୍ରଦେଶ ଦେଇ ବ୍ରହ୍ମପୁର ହୋଇ ଭୁବନେଶ୍ୱରରେ ପହଞ୍ଚିଛି । ସେହିପରି ଡିସେମ୍ବର ୩୧ରେ ଗୋଟିଏ ଓ ଜାନୁଆରୀ ୧ରେ ଆଉ ଦୁଇଟି ବସ ଓଡ଼ିଶା ଅଭିମୁଖେ ବାହାରି ସାରିଛି । ‘ଇଭି ଡବଲ-ଡେକର ବସ’ ସର୍ବଭାରତରେ ପ୍ରଥମ ବୋଲି କୁହାଯାଉଛି । ଥରେ ବିଦ୍ୟୁତ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇପାରିବ । ବସଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ବେଗ ଘଣ୍ଟାପ୍ରତି ୪୫ କିଲୋମିଟର ରହିଛି । ଅତିଥିମାନଙ୍କ ଭ୍ରମଣ ଓ ଯାତାୟତ ପାଇଁ ଏହା ବ୍ୟବହାର ହେବ । ସେହିପରି ୧୦ଟି ଉନ୍ନତ ମାନର ବସର ବ୍ୟବସ୍ଥା କରାଯାଇଛି । ଏହି ବସରେ ରହିଛି ଓଡ଼ିଶାର କଳା, ସଂସ୍କୃତିର ଝଲକ ।

  • ଏସିଏସ ସତ୍ୟବ୍ରତ ସାହୁଙ୍କ ସମୀକ୍ଷା :-

ଅତିଥି ତଥା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଆଗମନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଗ୍ରାଉଣ୍ଡକୁ ଯାଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଶିଳ୍ପ ବିଭାଗର ଅଧିକାରୀ, ପୋଲିସ କମିଶନରଙ୍କ ସହ ଅତିରିକ୍ତ ଶାସନ ସଚିବ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ ନିୟୋଜିତ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ଲିଆଜିନିଙ୍ଗ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିପରି ୭୦ ଜଣ ଓଏଏସ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଛି । ଜନତା ମଇଦାନରେ ଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ଐତିହ୍ୟ ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜୀ ଗୁଡିକର ପ୍ରଦର୍ଶନ କରାଯିବ । ଏହା ସହ ଏକ ଡିଜିଟାଲ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି ।

  • ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର :-

ଅତିଥିଙ୍କୁ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟି ଭୁବନେଶ୍ୱର ଓ କଟକକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯାଇଛି । ସହରର ରାସ୍ତା ଘାଟ, ଅଫିସ୍ ବିଲଡିଙ୍ଗ, ବିଡିଏ ପାର୍କ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତୀକୁ ପରିଷ୍କାର ପରିଛନ୍ନ କରାଯାଇ ସୁସଜ୍ଜିତ ଆଲୋକ ମାଳାରେ ସଜା ଯାଉଛି । ପ୍ରବାସୀ ଭାରତୀୟ ଦିବସ ଆୟୋଜନ ବେଳେ ସହରର ବିଭିନ୍ନ ସ୍ଥାନରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା ପ୍ରଭୁତି ଦ୍ୱାରା ରାଜଧାନୀକୁ ଉତ୍ସବ ମୁଖର କରାଯିବ । ଭୁବନେଶ୍ୱର ସହିତ ଏହାର ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିବା ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ସହରର ସ୍ୱଚ୍ଛତା, ଶୃଙ୍ଖଳା ପ୍ରଦତ୍ତ ନିୟମାବଳୀର ଅନୁପାଳନ କରି ସମାରୋହର ସଫଳ ରୂପାୟନ କରାଯିବ ।

  • ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଗୁରୁଦାୟିତ୍ୱ :-

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ । ଜନତା ମଇଦାନରେ ମହାସମାରୋହରେ ପାଳନ ହେବାକୁ ଯାଥିବା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମୃଦ୍ଧ ପରମ୍ପରା ଓ ଐତିହ୍ୟ ପାଇଁ ଭାରତୀୟ ସଂସ୍କୃତି ବିଶ୍ୱରେ ପ୍ରସିଦ୍ଧ । ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର । ଓଡିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶୀ ନୃତ୍ୟ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ଏଥିପାଇଁ ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି

ଏହା ମଧ୍ୟ ପଢନ୍ତୁ :-

ଦୁଇଗୁଣ ହେଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ‘ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’, ତେଜିଲା ରାଜନୀତି

ଓଡ଼ିଶାରେ ନୂଆ ରାଜ୍ୟପାଳ: ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, କାଲି ଶପଥ

  • ଆସିବେ ୭ ହଜାର, ପଞ୍ଜୀକରଣ କଲେଣି ୩ ହଜାର :-

କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୭ ହଜାର ଅତିଥି ଯୋଗ ଦେବେ । ପ୍ରାୟ ୩ ହଜାର ଅତିଥି ପଞ୍ଜିକରଣ କରିଛନ୍ତି । ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ସହରର ପ୍ରାୟ ୩୧ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିଙ୍କୁ ନେବା ପାଇଁ ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ କାର୍ଲ କାଙ୍ଗାଲୁ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଭୁତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନ କରିବେ ।

  • କେତେ ଅତ୍ୟାଧୁନିକ ଏହି ଡବଲ ଡେକର ବସ୍‌:

ଏହି ବସଟି ସମ୍ପୂର୍ଣ୍ଣ ବିଦ୍ୟୁତଚାଳିତ ବା ପୁନଃଚାର୍ଜକ୍ଷମ ବ୍ୟାଟେରୀ ଚାଳିତ । ଏଥିରେ ୨୪୦ କିଲୋୱାଟ ବିଶିଷ୍ଟ ବ୍ୟାଟେରୀ କ୍ଷମତା ରହିଛି । ଏପରିକି ଏହି ଡବଲ-ଡେକୋର ବସ ଥରେ ଚାର୍ଜ ହେବା ଦ୍ୱାରା ଏହି ପ୍ରାୟ ୨୫୦ କିଲୋମିଟର ଯାତ୍ରା କରିପାରିବା । ସେହିପରି ବିନା ଶୀତତାପ ନିୟନ୍ତ୍ରିତରେ ୩ଶହ କିଲୋମିଟର ପର୍ଯ୍ୟନ୍ତ ବସ୍ ଯାତ୍ରା କରିପାରିବ । ଏଥିରେ ୬୬ ଜଣ ଯାତ୍ରୀଙ୍କ ପାଇଁ ସିଟିଂ କ୍ୟାପାସିଟି ରହିଛି । ଏହାକୁ ପ୍ରଥମେ ଭୁବନେଶ୍ବରରେ ଶୁଭାରମ୍ଭ କରାଯିବ । ପରେ କଟକରୁ ଭୁବନେଶ୍ଵରର ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଏହି ବସ୍‌ ଚଳାଚଳ କରିବାକୁ ଯୋଜନା କରାଯାଇଛି ‌। କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ୧୦ ବର୍ଷ ପାଇଁ ଇଲେକ୍ଟ୍ରିକ ଡବଲ-ଡେକର ବସ ଚଳାଇବା ପାଇଁ ‘ଟ୍ରାଭେଲ ଟାଇମ ମୋବିଲିଟି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ’କୁ ସରକାରଙ୍କ ପକ୍ଷରୁ ଟେଣ୍ଡର ପ୍ରଦାନ କରାଯାଇଛି । ବସ ମଧ୍ୟରେ ସିସିଟିଭି କ୍ୟାମେରା ରହିଛି । ଏହି ବସରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଚିତ୍ର ତଥା ଓଡ଼ିଶାର କଳା-ସଂସ୍କୃତିର ଛବି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 2, 2025, 10:16 PM IST

ABOUT THE AUTHOR

...view details