ଭୁବନେଶ୍ବର: 1975 ‘ମିସା’ ବନ୍ଦୀଙ୍କୁ ସରକାରଙ୍କ ସମ୍ମାନ । ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ 20 ହଜାର ଟଙ୍କାର ପେନସନ୍ । ଏହା ସହ ମେଡିକାଲ ଖର୍ଚ୍ଚ ଓ ଟ୍ରେନ ଯାତ୍ରା ବହନ କରିବେ ରାଜ୍ୟ ସରକାର । ବର୍ତ୍ତମାନ ଓଡିଶାରେ ଜୀବିତ 150 ଜଣ ପାଇବେ ଏହି ପୁରସ୍କାର ରାଶି । ଏମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ବରିଷ୍ଠ ରାଜନେତା । ଅମର ଶତପଥୀ, ପଞ୍ଚାନନ କାନୁନଗୋ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ବିଶ୍ୱଭୂଷଣ ହରିଚନ୍ଦନଙ୍କ ପରି ନେତା ସେ ସମୟରେ ଜେଲ ଯାଇ ଏବେ ପାଇବେ ପୁରସ୍କାର । ଉକ୍ତ ନିର୍ଦ୍ଦେଶନାମା ଅନୁସାରେ ସେ ତାଲିକାରେ ଦିବଙ୍ଗତ ନବକୃଷ୍ଣ ଚୋଧୁରୀ, ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ନାଁ ବି ସାମିଲ ଅଛି । ଏମାନଙ୍କୁ ଚିହ୍ନଟ କରି ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ମୋହନ ସରକାର ।
- ତତ୍କାଳୀନ ସରକାର ବାନ୍ଧିଥିଲେ, ଏବେ ମିଳିଲା ସଂଗ୍ରାମୀର ମାନ୍ୟତା
1975 ମସିହାରେ ଦେଶରେ ଲାଗୁ ହୋଇଥିଲା ଜରୁରୀ କାଳୀନ ପରିସ୍ଥିତି । ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ 20 ହଜାର ଟଙ୍କାର ପେନସନ । ଏହି ସମୟରେ ରାଜନୈତିକ ବ୍ୟକ୍ତି ଓ ଆନ୍ଦୋଳନକାରୀଙ୍କୁ ଜେଲରେ ଭର୍ତ୍ତି କରିଥିଲେ ତତ୍କାଳୀନ ସରକାର । ସାରା ଦେଶରେ ପ୍ରାୟ 1 ଲକ୍ଷ 10 ହଜାର ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ 12 ଶହ ଜଣ ବନ୍ଦୀ ଓଡିଶାରେ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର 150 ଜଣ ଜୀବିତ ଥିବା ଆକଳନ କରାଯାଉଛି । ଏମାନଙ୍କୁ ଚିହ୍ନଟ କରି ସରକାରୀ ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ମୋହନ ସରକାର ।
ମିସା ବନ୍ଦୀ ସଂଗ୍ରାମୀଙ୍କୁ ମିଳିବ 20 ହଜାର ପେନସନ (ETV Bharat) - ଦେଶବ୍ୟାପୀ ଗିରଫ ହୋଇଥିଲେ ଲକ୍ଷେରୁ ଅଧିକ
ଜରୁରୀ କାଳୀନ ପରିସ୍ଥିତିରେ ଦେଶରେ ପ୍ରାୟ 1 ଲକ୍ଷ 10 ହଜାର ରାଜନୈତିକ ବ୍ୟକ୍ତି ଓ ଆନ୍ଦୋଳନକାରୀ ଗିରଫ ହୋଇଥିଲେ । 2010 ମସିହାରେ ସଂଗ୍ରହ ହୋଇଥିବା ତଥ୍ୟ ଅନୁସାରେ ଜରୁରୀ କାଳୀନ ପରିସ୍ଥିତିରେ ଓଡିଶାର ପ୍ରାୟ 12 ଶହ ଜଣ ଗିରଫ ହୋଇଥିଲେ । ସେତେବେଳେ ପ୍ରାୟ 3 ଶହ ଲୋକଙ୍କ ଠିକଣା ମିଳିପାରିଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ 100 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । 200 ଜଣ ଜୀବିତ ଥିଲେ । ବର୍ତ୍ତମାନ ପ୍ରାୟ 150 ଲୋକ ଜୀବିତ ଓ 150 ଲୋକ ମୃତ୍ୟୁବରଣ କରିଛନ୍ତି ।
‘ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟର ରକ୍ଷଣାବେକ୍ଷଣ ଆଇନ-1971’ ( MISA ବା ମିସା ) ରେ କୌଣସି ଚାର୍ଜସିଟ ହୁଏନାହିଁ । କିମ୍ବା ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଏ ନାହିଁ । ଜିଲ୍ଲାପାଳ କେବଳ ଏକ ନିର୍ଦ୍ଦେଶନାମା ଜାରି କରନ୍ତି । ଉକ୍ତ ବ୍ୟକ୍ତି ସମାଜରେ ରହିଲେ, ଦେଶର ଅନ୍ତରୀଣ ସୁରକ୍ଷା ପ୍ରତି ବିପଦ ବୋଲି ନିର୍ଦ୍ଦେଶନାମା ଥାଏ । କୋର୍ଟ ନୁହେଁ ସିଧା ଜେଲ ହୁଏ । 6 ମାସ ପରେ ଏ ନେଇ ସମୀକ୍ଷା ହୁଏ । 6 ମାସ ପରେ ଅଭିଯୁକ୍ତକୁ ଛଡାଯିବ ନହେଲେ ମିଆଦୀ ବୃଦ୍ଧି କରାଯାଏ । ଏଥିରେ ବିଶେଷ କରି ବଡ଼ ରାଜନୈତିକ ବ୍ୟକ୍ତି ସାମିଲ ଥାଆନ୍ତି ।
‘ଭାରତୀୟ ପ୍ରତିରକ୍ଷା ଅଧିନିୟମ’ ( ଡିଆଇଆର ବା DIR ) ଜରିଆରେ ଆନ୍ଦୋଳନ କରିବା ପତାକା ଓ ଫ୍ଲେକ୍ସ ମାରିବା, ସରକାରଙ୍କ ବିରୋଧରେ ଭାଷଣ ଦେବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । ସେହିପରି ପ୍ରତିରକ୍ଷା ଏବଂ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ( DISIR ବା ଡିଆଇଏସଆଇଆର ) ଲାଗୁ ହୁଏ । ଛାତ୍ର ଓ ଯୁବ ନେତା ମାନେ ପ୍ରତିରକ୍ଷା ଭାରତ ନିୟମ ( ଡିଆଇଆର ବା DIR )ରେ ଗିରଫ ହୋଇଥିଲେ । 19 ମାସର ଜରୁରୀ କାଳୀନ ପରିସ୍ଥିତି ହଟିଥିଲା । ଜରୁରୀ କାଳୀନ ପରିସ୍ଥିତି ଉଠିବା ପରେ ସାରା ଭାରତରେ ଲୋକତନ୍ତ୍ର ସେନାନୀ ସଂଘ ଗଠନ ହୋଇଛି । ଲୋକତନ୍ତ୍ର ସେନାନୀ ସଂଘ ତରଫରୁ ଏନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
- କେଉଁ ରାଜ୍ୟରେ କ’ଣ ସୁବିଧା ?
ମଧ୍ୟ ପ୍ରଦେଶ, ରାଜସ୍ଥାନ, ବିହାର, ଉତ୍ତର ପ୍ରଦେଶ, ଛତିଶଗଡ଼ରେ ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ପେନସନ, ମେଡିକାଲ ଖର୍ଚ୍ଚ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଅଣବିଜେପି ସରକାର ଉତ୍ତର ପ୍ରଦେଶ ଓ ବିହାରରେ ଯଥାକ୍ରମେ ମୁଲାୟମ ସିଂ ଯାଦବ ଓ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା । ଉଭୟ ଜରୁରୀ କାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ । ଜରୁରୀ କାଳୀନ ପରିସ୍ଥିତି ସମୟରେ ଗିରଫ ଆନ୍ଦୋଳନକାରୀଙ୍କ ଲାଗି ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । 16 ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଓଡିଶାରେ ଏହି ବ୍ୟବସ୍ଥା ଲାଗୁ ହୋଇନଥିଲା ।
- ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ:
ପୂର୍ବରୁ ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଥିଲା ବିଜେଡି । ତତ୍କାଳୀନ ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଫେବୃଆରୀ ୭, ୨୦୧୮ରେ ରାଜ୍ୟସଭାରେ ଜରୁରୀକାଳିନ ସମୟରେ MISA (ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ) ଏବଂ DIR (ଭାରତ ପ୍ରତିରକ୍ଷା ଆଇନ)ରେ ବିଭିନ୍ନ ଜେଲରେ ବନ୍ଦୀ ଥିବା ସଂଗ୍ରାମୀଙ୍କ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । କେଉଁ ରାଜ୍ୟରୁ କେତେ ସଂଖ୍ୟକ ବନ୍ଦୀ ରହିଥିଲେ ଦୟା କରି କହିବେକି ? ବଞ୍ଚି ରହିଥିବା ସେହି ସଂଗ୍ରାମୀଙ୍କୁ ଆର୍ଥିକ ସହାୟତା ସମେତ କେଉଁ ରାଜ୍ୟ କେଉଁ ପ୍ରକାର ସୁବିଧା ପ୍ରଦାନ କରୁଛି ? ସରକାର ଏପରି କୌଣସି ପ୍ରକାରର ସହାୟତା ଦେବାକୁ ବିଚାର କରିବେ କି, ଯଦି କରିବେ ତେବେ ଏହାର ପ୍ରୋତ୍ସାହନ କ’ଣ ଏବଂ କେବେ ସୁଦ୍ଧା ଏହା କାର୍ଯ୍ୟକାରୀ ହେବା ଉଚିତ ବୋଲି ସେ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat) ଭାରତରେ 1975 ମସିହାରେ ଜୁନ 25 ତାରିଖରେ ଦେଶରେ ଲାଗୁ ହୋଇଥିଲା ଜରୁରିକାଳୀନ ପରିସ୍ଥିତି । ଆଉ କିଛି ଦିନ ପରେ ଏହା 49 ବର୍ଷ ପୂରି 50 ବର୍ଷରେ ପଦାର୍ପଣ କରିବ । ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାକୁ ଏକ କଳା ଅଧ୍ୟାୟ ବୋଲି ବିବେଚନା କରାଯାଏ । ଏଥିରେ ଦେଶର ନାଗରିକଙ୍କ ସମେତ ବିରୋଧୀ ଦଳର ନେତା ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ସହ ଆଗାମୀ 6 ବର୍ଷ ଯାଏଁ ନିର୍ବାଚନ ଲଢ଼ିପାରିବେନାହିଁ ବୋଲି ସେହିବର୍ଷ ଜୁନ 12 ତାରିଖରେ ଆଲ୍ହାବାଦ ହାଇକୋର୍ଟ ରାୟ ଦେଲେ । ଏହାର 13 ଦିନ ପରେ ଅର୍ଥାତ ଜୁନ 25 ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଅନୁମୋଦନରେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
- କେମିତି ଥିଲା ସେ କାଳରାତି ?:
‘‘ସରକାରଙ୍କ ପେନସନ୍ ପଦକ୍ଷେପକୁ ମୁଁ ସ୍ବାଗତ କରୁଛି । ଜରୁରିକାଳୀନ ପରିସ୍ଥିତି ବେଳେ ବାକ୍ ସ୍ବାଧୀନତାକୁ କଣ୍ଠରୋଧ କରି ଗଣତନ୍ତ୍ରକୁ କ୍ଷତି ପହଞ୍ଚାଗଲା । ସେତେବେଳେ ଲୋକନାୟକ ଜୟପ୍ରକାଶ ନାୟକଙ୍କ ନେତୃତ୍ବରେ ବଡ ଆନ୍ଦୋଳନ ହୋଇଥିଲା । ଆମେ ସେତେବେଳେ ଛାତ୍ର ଥିଲୁ । କିନ୍ତୁ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଆମେ ଲଢେଇ କଲୁ । ବହୁ ଲୋକଙ୍କୁ ବିଭିନ୍ନ ଆଇନରେ ଗିରଫ କରାଯାଉଥିଲା । ନା ସେତେବେଳେ ଜାମିନ ଥିଲା ନା କୋର୍ଟରେ ହାଜର କରାଯାଉଥିଲା । ସେଥିପାଇଁ ମାସ ମାସ କାଳ ଜେଲରେ ବନ୍ଦୀ କରାଯାଉଥିଲା। ମୋତେ ବି ସେହି ସମାନ ଆଇନରେ ଗିରଫ କରାଯାଇଥିଲା । ସମ୍ବଲପୁର ଜେଲରେ ମୁଁ 3 ମାସ କାଟିଛି । ତାପରେ ରାଉରକେଲାରେ 18 ମାସ ଜେଲରେ ଥିଲି। ଜେଲ ଭିତରେ ବି ବହୁ ନିର୍ଯାତନା ଦିଆଗଲା। ବହୁତ କଥା ଲୋକଲୋଚନକୁ ଆସିନି । ସେତେବେଳର କିଛି ଲୋକ ଆମ ଗହଣରେ ଆଉ ନାହାନ୍ତି । ଶେଷ ସମୟ ସେମାନେ ବହୁ କଷ୍ଟରେ କାଟିଛନ୍ତି । ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ କିନ୍ତୁ ଏଥିପାଇଁ ଯେଉଁ ଆବେଦନ ପ୍ରକ୍ରିୟା ରହିଛି ତାହା ଗ୍ରହଣୀୟ ନୁହେଁ । ଆମେ ଦେଶ ପାଇଁ ଲଢେଇ କରିଥିଲୁ । ସରକାର ନିଜେ ରେକର୍ଡ ରଖିଛନ୍ତି । ସରକାର ନିଜେ ସମୀକ୍ଷା କରି ପୁରସ୍କାର ରାଶି ଯୋଗାଇ ଦେବା କଥା । କିନ୍ତୁ ଆମକୁ ଏଥିପାଇଁ ପ୍ରମାଣ ଦେବାକୁ ପଡିବ । ମୁଁ ସେହି ଭତ୍ତା ଗ୍ରହଣ କରିବି ନାହିଁ ବରଂ ସରକାର ସେହି ଟଙ୍କାକୁ ଗନ୍ଧମାର୍ଦ୍ଦନର ସୁରକ୍ଷାରେ ସରକାର ଲଗାଇ ଦିଅନ୍ତୁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ’’।
- ସେ ସମୟକୁ କେମିତି ମନେ ପକାନ୍ତି ସଂଗ୍ରାମୀ:-
ପ୍ରତିରକ୍ଷା ଭାରତ ନିୟମ ( ଡିଆଇଆର ବା DIR ) ଜରିଆରେ ଗିରଫ ହୋଇଥିବା ଭୁବନାନନ୍ଦ ତ୍ରିପାଠୀ କହିଛନ୍ତି, "ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ । ଦେଶର ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବାକୁ ପ୍ରାୟ 5 ଦଶନ୍ଧି ହୋଇଗଲା । ଜୁନ ମାସକୁ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ 50 ବର୍ଷ ପୂରଣ କରିବ । ଦେଶର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ଇନ୍ଦିରା ଗାନ୍ଧୀ ମନମାନୀ ଶାସନ ଆରମ୍ଭ କରିଦେଇଥିଲେ । ବିରୋଧୀ ଦଳ ନେତାଙ୍କୁ ସେ ଜେଲରେ ପୁରାଇବା ସହ ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା । ଦେଶରେ କୋକୁଆ ଭୟ ସୃଷ୍ଟି ହେଲା । ସରକାରଙ୍କ ବିରୋଧରେ ଯିଏ ପାଟି ଖୋଲିଲା ସେ ଜେଲ ଯିବ । ରାଜନୀତିରେ ସକ୍ରିୟ ନେତାଙ୍କୁ ସେ ସମୟରେ ତତ୍କାଳ ଜେଲକୁ ପଠାଗଲା ।
ମିସା ବନ୍ଦୀ ସଂଗ୍ରାମୀଙ୍କୁ ପେନସନ (ETV Bharat) - ‘ନବକୃଷ୍ଣ ,ବିଜୁବାବୁ ଓ ମହତାବ ମଧ୍ୟ ଯାଇଥିଲେ ଜେଲ’
"ସେ ଆହୁରି ମଧ୍ୟ କହିଛନ୍ତି, "ଅଟଳ ବିହାରୀ ବାଜପେୟୀ, ଲାଲ ଲାଲକୃଷ୍ଣ ଆଡ଼ଭାନୀଙ୍କ ସମେତ ଓଡ଼ିଶାର ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ ଜେଲ ଯାଇଥିଲେ । ଏହାର ପ୍ରତିବାଦରେ ଜୟପ୍ରକାଶଙ୍କ ନେତୃତ୍ୱରେ ଏହା ବିରୋଧରେ ଆନ୍ଦୋଳନ ଚାଲିଥିଲା । ମିଳିତ ସଂଘର୍ଷ ବାହିନୀ ତରଫରୁ ଏହା ବିରୋଧରେ ଆନ୍ଦୋଳନ ଓ ସତ୍ୟାଗ୍ରହ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଜନଜାଗରଣ ସୃଷ୍ଟି ଲାଗି ନିଷ୍ପତ୍ତି ହୋଇଥିଲା । ଯୁବ ଓ ଛାତ୍ରଙ୍କ ତରଫରୁ ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଆନ୍ଦୋଳନ କରିଥିଲୁ । ମୁଁ ଓ ମୋ ବ୍ୟାଚର 5 ଜଣ ପିଲା ଭୁବନେଶ୍ୱର କୋର୍ଟ ସାମ୍ନାରେ ଆନ୍ଦୋଳନ କରିବା ସହ ଲିଫଲେଟ ବାଣ୍ଟିଥିଲୁ । ଏହାର ଅଧଘଣ୍ଟା ମଧ୍ୟରେ ପୋଲିସ ଖବର ପାଇ ପହଁଚିଥିଲା । ଆମକୁ ଗିରଫ କରାଯାଇଥିଲା ।
"ସେ ଏହା ମଧ୍ୟ କହିଛନ୍ତି, "1976 ମସିହା ଜାନୁଆରୀ ମାସ 6 ତାରିଖରେ ଆମେ 6 ଜଣ ଗିରଫ ହୋଇଥିଲୁ । ଆମକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଥିଲା । କ୍ୟାପିଟାଲ ଥାନାର ଛୋଟ ହଜାତରେ ଆମକୁ ରଖାଯାଇଥିଲା । ଆମକୁ ଭାତ, ପାଣି ଡାଲି ଓ ମୂଳା ଭଜା ଖାଇବାକୁ ଦେଇଥିଲେ । ଭାଉଁ ଭାଉଁ ମଶାରେ ରାତି କଟେଇଲୁ । ଧମକ ସହ ଆମକୁ ପଚରାଉଚରା କରାଯାଇଥିଲା । ଆମ ପଛରେ କାହା ସମର୍ଥନ ଅଛି ବୋଲି ପଚରା ଯାଇଥିଲା । ତା'ପର ଦିନ ଆମକୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଆମକୁ ଭୁବନେଶ୍ୱର ଜେଲ ପଠେଇ ଦେଇଥିଲା । ଆମେ ପ୍ରତିରକ୍ଷା ଭାରତ ନିୟମ ( ଡିଆଇଆର ବା DIR ) ଅନୁସାରେ ଗିରଫ ହୋଇଥିଲୁ । ଏଥିରେ ଜାମିନ ବ୍ୟବସ୍ଥା ଥିଲା । କିନ୍ତୁ ନିଷ୍ପତ୍ତି ଅନୁସାରେ ଆମେ ଜାମିନରେ ଆସିଲୁ ନାହିଁ ।"ସେ ଏହା ମଧ୍ୟ କହିଥିଲେ, "ଗିରଫ ବେଳେ ମୁଁ 22 ବର୍ଷର ଯୁବକ ଥିଲି । ବାଣୀବିହାର ବିଶ୍ୱବିଦ୍ୟାଳୟରୁ ଏମ୍ଏ ପାସ କରିବା ପରେ ନୂଆନୂଆ ଚାକିରୀ ଜୀବନ ଆରମ୍ଭ କରୁଥାଏ । ମୋର ବ୍ୟାଚ ଓ ମୁଁ ପ୍ରାୟ 46 ଦିନ ଜେଲରେ ରହିଥିଲୁ । କାନ୍ଥ ନଥିବା କୋଠରୀରେ ଆମେ ରହିଥିଲୁ । ତଳେ ଶୋଉଥିଲୁ । ଜେଲ ଜୀବନ ଦୁର୍ବିସଃ ଥିଲା । ଗୋଟେ ଶୌଚାଳୟକୁ 50 ଜଣ ବ୍ୟବହାର କରୁଥିଲୁ । ଦୁର୍ଗନ୍ଧ ପରିବେଶରେ ରହୁଥିଲୁ । ସକାଳେ ରୁଟି ଓ ଗୁଡ଼, ମଧ୍ୟାହ୍ନରେ ଭାତ, ଡାଲି, କୋବି ଏବଂ ସନ୍ଧ୍ୟା 6ରେ ରୁଟି ଓ ପାଣି ଡାଲି ମିଳୁଥିଲା । ଫେବୃଆରୀ 22ରେ ଆମେ ଜେଲରୁ ବାହାରିଲୁ । ଜାମିନ୍ରେ ଆସିବା ପରେ ମଧ୍ୟ ଭୁବନେଶ୍ୱର ଏସଡିଜିଏମ୍ କୋର୍ଟରେ ମାମଲା ଚାଲିଲା । ନିର୍ବାଚନରେ ଇନ୍ଦିରା ଗାନ୍ଧୀ ହାରିବା ପରେ ନୂଆ ସରକାର ଗଠନ ହେଲା । ଓଡିଶାରେ ଜନତା ଦଳର ସରକାର ଗଠନ ହେଲା । ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମସ୍ତ ରାଜନୈତିକ ମାମଲା ଉଠାଇ ନିଆଯିବ ବୋଲି ନୂଆ ସରକାର ନିଷ୍ପତ୍ତି ନେଲେ । ମାମଲା ଉଠିବା ପରେ ଆମେ ସମସ୍ତ କେଶରୁ ମୁକ୍ତ ହୋଇଥିଲୁ ।"
ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟର ରକ୍ଷଣାବେକ୍ଷଣ ଆଇନ - 1971 ( MISA ବା ମିସା )ରେ ଗିରଫ ହୋଇଥିବା ସୁରେନ୍ଦ୍ର ନାଥ ନାୟକ କହିଛନ୍ତି, ‘‘ନବମ ଶ୍ରେଣୀରେ ପଢିବା ସମୟରେ ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ରକ୍ଷଣାବେକ୍ଷଣ ଆଇନ - 1971 ( MISA ବା ମିସା ) ରେ ଗିରଫ ହୋଇଥିଲି । ମୋ ସ୍କୁଲର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ର ମଧ୍ୟ ଗିରଫ ହୋଇଥିଲେ । 1975 ମସିହାରେ ଗିରଫ ହୋଇ 5 ମାସ କଟକ ସେଣ୍ଟ୍ରାଲ ଜେଲରେ ରହିଥିଲୁ । ଆମ ବିଦ୍ୟାଳୟ ଜାତୀୟ ଚେତନାର କେନ୍ଦ୍ର ଥିଲା । ପ୍ରଧାନ ଶିକ୍ଷକ ଭଗବାନ ଦାଶ, ଶିକ୍ଷକ ଉପେନ୍ଦ୍ର ବିଶ୍ୱାଳ ଓ ଅନ୍ୟ ଶିକ୍ଷକଙ୍କ ଆମ ଭିତରେ ଜାତୀୟ ଚେତନା ଭରିଥିଲେ । ଦେଶରେ ଏଭଳି ପରିସ୍ଥିତିରେ ମନରେ ଏକ ଉଦବେଗ ସୃଷ୍ଟି କରିଥିଲା’’ ।
ସେହିପରି ବନ୍ଦୀ ହୋଇଥିବା ନିର୍ମଳ କୁମାର ଜେନା କହିଛନ୍ତି, ‘‘ଗିରଫ ହେବା ସମୟରେ ମୁଁ ଦଶମ ଶ୍ରେଣୀରେ ପଢୁଥିଲି । କଟକ ଜିଲ୍ଲା ଅଙ୍ଗେଶ୍ୱର ପଡା ହାଇସ୍କୁଲରେ ଆମେ ପାଠ ପଢୁଥିଲୁ । ଜରୁରିକାଳୀନ ପରିସ୍ଥିତିରେ ଅନେକ ରାଜନୈତିକ ବ୍ୟକ୍ତି ଗିରଫ ହୋଇଥିଲେ । ଏହି ତାନାସାହା ନେତୃତ୍ୱରେ ବିରୋଧରେ ଆନ୍ଦୋଳନ କରି 5 ମାସ ଜେଲ ଦଣ୍ଡ ଭୋଗିଥିଲୁ । ଆନ୍ଦୋଳନ ପୂର୍ବରୁ ଆମେ ରକ୍ତର ଶପଥ ନେଇଥିଲୁ । ବର୍ତ୍ତମାନ ପେନସନ ଓ ଅନ୍ୟାନ୍ୟ ସୁବିଧା ଘୋଷଣା ହୋଇଛି । କିନ୍ତୁ ଆମେ ଏସବୁ କଥା ସେତେବେଳେ କେବେ ଭାବିନଥିଲୁ । ସରକାରଙ୍କ ଏହି ସମ୍ମାନ ଆମ ପାଇଁ ଗର୍ବ ଓ ଗୌରବର କଥା’’ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘‘ଜରୁରୀ କାଳୀନ ପରିସ୍ଥିତି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ କଳା ଦିନ । ତତ୍କାଳୀନ ସରକାରଙ୍କ ବିରୋଧରେ ସାରା ଦେଶରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା । 1975ରୁ 1977 ମଧ୍ୟରେ ଜରୁରୀ କାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ବନ୍ଦୀଙ୍କ ଆଶା ପୂରଣ ହୋଇଛି । ସେମାନଙ୍କୁ ସମ୍ମାନ ମିଳିବ । ସେମାନଙ୍କୁ ରାଜ୍ୟ ସରକାର ପେନସନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବେ । ମାସିକ 20 ହଜାର ଟଙ୍କା ପେନସନ ସହ ରେଳରେ ଯିବା ଆସିବା ପାଇଁ ସୁବିଧା ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ସୁରକ୍ଷାରେ ସେମାନଙ୍କୁ ସାମିଲ କରାଯିବ ’’।
ଏନେଇ ଏକ ଆବେଦନ ପତ୍ର ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ । ସମ୍ପୂର୍ଣ୍ଣ ତଥ୍ୟ ଓ 3 ଜଣ ଜଣାଶୁଣା ସହଯୋଗୀ ବନ୍ଦୀଙ୍କ ତଥ୍ୟ ଓ ସତ୍ୟପାଠ ଦାଖଲ କରିବାକୁ ପଡିବ । ଆବେଦନ ପତ୍ରରେ ସଠିକ ନାଁ, ଠିକଣା, ଫଟୋ, ଜନ୍ମ ତାରିଖ, ଆଧାର ନମ୍ବର, ବ୍ୟାଙ୍କ ତଥ୍ୟ ଦେବାକୁ ପଡିବ । ଜିଲ୍ଲାପାଳ ଓ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଗଠିତ କମିଟି ଏହାକୁ ତର୍ଜମା କରିବ । ଜିଲ୍ଲାପାଳ ଏହି ତାଲିକାକୁ ଗୃହ ବିଭାଗକୁ ପଠାଇବେ । ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ତାଲିକା ଗୃହ ବିଭାଗର ସଚିବ, ଅର୍ଥ ବିଭାଗର ସଚିବ, ଆଇନ ବିଭାଗ ସଚିବ, ଗୃହ ବିଭାଗର ଆର୍ଥିକ ଉପଦେଷ୍ଟା, ପୋଲିସ ଡିଜି, ଜେଲ ଡିଜିଙ୍କୁ ନେଇ ଗଠିତ ରାଜ୍ୟସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ଆସିବ । ରାଜ୍ୟସ୍ତରୀୟ କମିଟିରେ ଅନୁମୋଦନ ପରେ ଯୋଗ୍ୟ ବିବେଚିତଙ୍କୁ ସରକାରଙ୍କ ଏହି ସୁବିଧା ଯୋଗାଇ ଦିଆଯିବ । ଯଦି କୌଣସି ବ୍ୟକ୍ତି ମିଥ୍ୟା ତଥ୍ୟ ଦାଖଲ କରି ସୁବିଧା ନେଇଥିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଇଟିଭି ଭାରତ, ଭୁବନେଶ୍ବର