ଓଡିଶା

odisha

ETV Bharat / state

ମକର ଭୋଗରେ ମହକୁଛି ବଡଦାଣ୍ଡ, ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ - PURI MAKAR SANKRANTI 2025

ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ।

ମକର ଚାଉଳ ଭୋଗ
ମକର ଚାଉଳ ଭୋଗ (ETV Bharat)

By ETV Bharat Odisha Team

Published : Jan 14, 2025, 4:13 PM IST

Updated : Jan 14, 2025, 7:33 PM IST

ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି । ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

  • 12 ମାସରେ 13 ପର୍ବରୁ ଅନ୍ୟତମ ମକର ସଂକ୍ରାନ୍ତି

ବର୍ଷକଯାକ କାଳିଆ ପାଖରେ ପାଳନ ହୁଏ ଅନେକ ନୀତିକାନ୍ତି ଓ ପର୍ବ ପର୍ବାଣୀ । ଆଜି ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପାଳନ ହୋଇଛି ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ଶ୍ରୀଜିଉ ମକର ଚୌରାଶି ବେଶରେ ସଜେଇ ହୋଇଛନ୍ତି ।

ମକର ଭୋଗରେ ମହକୁଛି ବଡଦାଣ୍ଡ, ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ (ETV Bharat Odisha)
  • ମହାପ୍ରଭୁଙ୍କ ମକର ଚୌରାଶୀ ବେଶ:

ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଛି । ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶି ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାଷିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ସେପଟେ ଗତକାଲି ରାତିରୁ କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି ।

ମକର ଚାଉଳ ଭୋଗ (ETV Bharat)

ଏହା ମଧ୍ୟ ପଢନ୍ତୁ

ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

  • ଲାଗି ହେଲା ମକର ଚାଉଳ ଭୋଗ

ମକର ସଂକ୍ରାନ୍ତି ଅବସରରେ ଆଜି ମହାପ୍ରଭୁଙ୍କ ମକରବେଶ ବା ମକରଚୌରାଶୀ ବେଶ ଅନୁଷ୍ଠିତ ହୋଇଛି । ମକରଚାଉଳ ଭୋଗ ମଧ୍ୟ କରାଯାଇଛି । ଶ୍ରୀମନ୍ଦିର ସେବାୟତ ଶରତ ମହାନ୍ତି କହିଛନ୍ତି, ‘‘ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଅନେକ ନୀତି କାନ୍ତି ରହିଛି । ମକର ସଂକ୍ରାନ୍ତିରେ ମକର ବେଢ଼ା ହୋଇଥାଏ । ଆଜି ବିଭିନ୍ନ ପୁଷ୍ପ ମାଲ୍ୟ ମହାପ୍ରଭୂ ପରିଧାନ କରିଥାଆନ୍ତି । ଆଜି ମହାପ୍ରଭୁ ମକର ଚୌରଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ମହାଲକ୍ଷ୍ମୀ ପିତ୍ରାଳୟରୁ ଯେତେବେଳେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାପ୍ରଭୁଙ୍କ ରୁଚି ଅନୁଯାୟୀ ଭାର ନେଇ ଆସିଛନ୍ତି । ବିଭିନ୍ନ ପ୍ରକାର ମକରଚୌରାଶୀ ଭୋଗ ସାମଗ୍ରୀ, ନଳିପାନ, ଛାଚିପାନ, ଦଧି, ମକର ଚାଉଳ ଆଦି ମହାଲକ୍ଷ୍ମୀ ନେଇ ଆସିଥିବା ପ୍ରବାଦ ରହିଛି ’’।

ମକର ଚାଉଳ ଭୋଗ (ETV Bharat)
  • କଣ ଏହି ମକର ବେଢ଼ା ଉତ୍ସବ

ରାଧା ବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ କହିଛନ୍ତି, ‘‘ମକର ସଂକ୍ରାନ୍ତି ହେଉଛି ଏକ ପବିତ୍ର ଦିନ । ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଆଜି ଉତ୍ତରାୟଣ ଯାତ୍ରା । ଏହି ପବିତ୍ର ଦିବସରେ ଶ୍ରୀମନ୍ଦିରରେ ମକର ବେଢ଼ା ଉତ୍ସବ ହୋଇଥାଏ । ମକରଚୂଳ ମହାପ୍ରଭୁଙ୍କଠାରେ ଲାଗି କରାଯାଏ । ମକର ଚାଉଳ ପ୍ରସ୍ତୁତ କରାଯାଇ ନୈବେଦ୍ୟ ଦିଆଯାଏ । ସେହି ପରମ୍ପରାକୁ ଅନୁସରଣ ପୂର୍ବକ ଶ୍ରୀକ୍ଷେତ୍ରରେ ଥିବା ସବୁ ମଠଗୁଡିକରେ ମକର ସଂକ୍ରାନ୍ତି ନୀତି ପାଳନ ହେଉଛି । ମକର ଚାଉଳ ପାଇଁ ନୂଆ ଚାଉଳ ଆସିଥିଲା । ଏହାକୁ ଗୁଣ୍ଡ କରାଯାଇ ନଡ଼ିଆ, କଦଳୀ ଚକଟା, ବିଭିନ୍ନ ଫଳ, ଗୋଲ ମରିଚ, ଅଳେଇଚ, ଡାଲିଚିନି ଗୁଣ୍ଡ, ଖିର, ଘିଅ, ଚିନି ପକାଯାଇ ଏକ ସୁମିଷ୍ଟ ମକର ଚାଉଳ ପ୍ରସ୍ତୁତ କରାଯାଏ । ଏହାକୁ ନେଇ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିବା ପରେ ସମସ୍ତ ଭକ୍ତଙ୍କୁ ଏହା ବଣ୍ଟନ କରାଯାଏ । ଶ୍ରୀମନ୍ଦିରକୁ ଆସିଥିବା ଭକ୍ତ କହିଛନ୍ତି, ଆଜି ପ୍ରବଳ ଭିଡ ସତ୍ବେ ମହାପ୍ରଭୁଙ୍କୁ ଦର୍ଶନ କଲୁ । ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ ଆନନ୍ଦ ମିଳିଲା । ନୂଆ ବର୍ଷ ଆମ ପରିବାର ଓ ବନ୍ଧୁଙ୍କ ପାଇଁ ଭଲରେ କଟୁ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କଲୁ’’ ।

ମକର ଚାଉଳ ଭୋଗ (ETV Bharat)
  • ଦର୍ଶନ କରି ଭାବପ୍ରବଣ ହେଲା ଶ୍ରଦ୍ଧାଳୁ

ମକର ସଂକ୍ରାନ୍ତିରେ ଜଗାକୁ ଦର୍ଶନ କରି ଭାରି ଖୁସି ଲାଗିଲା । କାଳିଆକୁ ଦେଖି ଆଖିରେ ଲୁହ ଆସିଗଲା । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ହେଉଛି । ଆମେ ଭଲ ଭାବେ ଦର୍ଶନ କରିଛୁ କହିଲେ ଶ୍ରଦ୍ଧାଳୁ । ବହୁତ ସୁନ୍ଦର ଭାବେ ଦର୍ଶନ କରିଥିବା ନେଇ ଭାବବିହ୍ବଳ ହୋଇ କହିଲେ ପଶ୍ଚିମବଙ୍ଗରୁ ଆସିଥିବା ଭକ୍ତ । ସେହିପରି ଆଉ ଜଣେ ଭକ୍ତ କହିଛନ୍ତି ‘‘5 ଘଣ୍ଟା ପରେ ଦର୍ଶନ ପାଇଲୁ କିନ୍ତୁ କିଛି କଷ୍ଟ ପାଇନୁ । ହଠାତ୍‌ କାଳିଆର ଡୋରି ଲାଗିଲା ବହୁତ ଖୁସି ଲାଗିଲା ।

ପୁରୀ ଜଗନ୍ନାଥ ମନ୍ଦିର (ETV Bharat)
  • କେମିତି ତିଆରି ହୁଏ ମକର ଚାଉଳ ?

ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ଏକ ଭୋଗ ପ୍ରସ୍ତୁତ କରାଯାଏ । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Jan 14, 2025, 7:33 PM IST

ABOUT THE AUTHOR

...view details