ଭବାନୀପାଟଣା:ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢି ପାରନ୍ତି କଳାହାଣ୍ଡି ଜିଲ୍ଲାର ସମାଜ ସେବୀ ତଥା କେଏଲ୍ଏଫ୍ ସଂଗଠନର ଅଧ୍ୟକ୍ଷ ମଧୁ ମହାନ୍ତି । ଜିଲ୍ଲା ଓ ଜିଲ୍ଲାବାସୀଙ୍କ ପାଇଁ କାମ କରିବା ଓ ଜିଲ୍ଲାର ସେବା କରିବା ପାଇଁ ସେ ନିର୍ବାଚନ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି କହିଛନ୍ତି ସମାଜସେବୀ । ତେବେ ସାଧାରଣ ନିର୍ବାଚନ ଆଉ କିଛି ଦିନ ଥିବା ବେଳେ ପ୍ରମୁଖ ଦଳମାନଙ୍କର ଅଙ୍କକଷା ଜାରି ରହିଛି । ଏହାମଧ୍ୟରେ ମଧୁ ମହାନ୍ତିଙ୍କ ବୟାନ ରାଜନୈତିକ ମାହୋଲକୁ ଆହୁରୀ ସରଗରମ କରିଛି ।
ଆସିଛି ନିର୍ବାଚନୀ ଋତୁ । ବିଭିନ୍ନ ରାଜନୈତିକ ଦଳମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରଣନୀତି ଆରମ୍ଭ କରିଦେଇଥିବା ବେଳେ ଏବେ ନିର୍ବାଚନ ମୈଦାନରେ ଲଢିପାରନ୍ତି କଳାହାଣ୍ଡି ଜିଲ୍ଲାର ସମାଜସେବୀ ତଥା ଡିଫାଇନ କଳାହାଣ୍ଡିର ଅଧ୍ୟକ୍ଷ ମଧୁ ମହାନ୍ତି । ଏକ ପ୍ରେସମିଟରେ ସେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ରାଜନୀତି ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ମୁଁ ଜିଲ୍ଲାକୁ ଫେରିଛି । ସମର୍ଥକ ଓ ନିଜ ସଂଗଠନର କର୍ମକର୍ତ୍ତା ମାନଙ୍କ ମତରେ ହିଁ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରିବି ।
ସ୍ଵାଧୀନ ପ୍ରାର୍ଥୀ ହେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, " ସଂଗଠନର କର୍ମକର୍ତ୍ତାଙ୍କ ଯାହା ନିର୍ଦ୍ଦେଶ ଆସିବ ଓ ଜିଲ୍ଲାର ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଦି କାର୍ଯ୍ୟକର୍ତ୍ତା କହିବେ ତେବେ ସ୍ଵାଧୀନ ପ୍ରାର୍ଥୀ ଭାବରେ ଲୋକ ସଭାରେ ଲଢେ଼ଇ କରିବି ।"