ବୌଦ୍ଧ:ଜଙ୍ଗଲ ସମ୍ପଦରେ ଭରପୁର ଜିଲ୍ଲାରେ ବ୍ୟାପକ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ କାଠ ମାଫିଆମାନଙ୍କ କବଜାରେ ରହିଛି । ଏଥିସହ ବେଆଇନ ଗଞ୍ଜେଇ ଚାଷ କରି ମାଫିଆମାନେ ଚାଲାଣ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଉଜୁଡିଯାଉଛି । ଗୋଟିଏ ପଟେ ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଇଥିବା ବେଳେ ଏବେ ବନୀକରଣ ନାଁରେ ନୂତନ ବନୀକରଣ ନାଁରେ ବ୍ୟାପକ ଗଛକାଟି ଦେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।
ବନ ବିଭାଗର ଦାୟିତ୍ଵ ହୀନତା ଯୋଗୁଁ ଜିଲ୍ଲାର ବିଭିନ୍ନ ଜଙ୍ଗଲ ସମ୍ପଦ ବର୍ତ୍ତମାନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେବାରେ ଲାଗିଛି । ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହିତ ବନ୍ୟପ୍ରାଣୀମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି ।
ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପ୍ରତ୍ୟେକ ଦିନ ବ୍ୟାପକ ମାତ୍ରାରେ ଗଛକାଟି ନିଆଯାଉ ଥିଲେ ମଧ୍ୟ ବନ ବିଭାଗର କର୍ମଚାରୀମାନେ ଏହାକୁ ପ୍ରତିହତ କରିବାରେ ବିଫଳ ହେଉଛନ୍ତି । ଅଧିକାଂଶ ଜଙ୍ଗଲ ବର୍ତ୍ତମାନ କାଠ ମାଫିଆମାନଙ୍କ କବ୍ଜାରେ ରହିଲା ଭଳି ମନେ ହେଉଛି । ଉପଯୁକ୍ତ କାର୍ଯ୍ୟ ଶୈଳୀର ଅଭାବରୁ ଜିଲ୍ଲାର ଅନ୍ୟତମ ସବୁଜିମାରେ ଭରପୂର ଅଞ୍ଚଳକୁ ନନ୍ଦନବନ ପ୍ରକଳ୍ପ ପାଇଁ ବ୍ୟାପକ ଗଛକାଟି ଦିଆଗଲା ।