ଖୋର୍ଦ୍ଧା:ଲକ୍ଷ୍ମୀ ବସଷ୍ଟାଣ୍ଡ ସ୍ଥାନ ଚୟନକୁ ନେଇ ବିରୋଧାଭାଷ । ବୋଲଗଡ ପଞ୍ଚାୟତର ରଜ ପଡିଆରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚୟନ କରାଯାଇଛି । ସେନେଇ ଦେଖାଦେଇଛି ବିବାଦ । ଏଠାରେ ବସଷ୍ଟାଣ୍ଡ ହେଲେ ଏହି ସ୍ଥାନ ସଙ୍କୁଚିତ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି । ବସଷ୍ଟାଣ୍ଡ ଅନ୍ୟତ୍ର କରିବାକୁ ଗ୍ରାମବାସୀ ଉପଜିଲ୍ଲାପାଳ ପାଖରେ ଦାବି କରିଛନ୍ତି ।
ଗାଁରୁ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଲକ୍ଷ୍ମୀ ଆରମ୍ଭ କରିଛନ୍ତି । ସେଥିପାଇଁ ଗାଁରେ ଲକ୍ଷାଧିକ ଟଙ୍କା ବିନିଯୋଗରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ ହେଉଛି । ଲକ୍ଷ୍ମୀ ବସ ଯୋଜନା ବିଭିନ୍ନ ଜିଲ୍ଲାରେ ଉଦଘାଟନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ଉଦଘାଟିତ ହୋଇନାହିଁ । ସେଥିପାଇଁ ପ୍ରସ୍ଥାବିତ ରୁଟ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଭିନ୍ନ ସ୍ଥାନରେ ଚାଲିଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ପରିସ୍ଥିତିରେ ଗତକାଲି ବୋଲଗଡ଼ ବ୍ଲକର ବୋଲଗଡ ପଞ୍ଚାୟତରେ ଲକ୍ଷ୍ମୀ ବସଷ୍ଟାଣ୍ଡ ସ୍ଥାନ ଚୟନକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଛି । ବୋଲଗଡ ତହସିଲ ଅନ୍ତର୍ଗତ ବୋଲଗଡ ପଞ୍ଚାୟତର ରଜ ପଡିଆରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚୟନ କରାଯାଇଛି । ତହସିଲ ପକ୍ଷରୁ ନୋଟିସ୍ ମରା ହେବା ପରେ ଏହି ବିବାଦ ଉଗ୍ରରୂପ ନେଇଛି । ଗତକାଲି ବୋଲଗଡ ପଞ୍ଚାୟତର ବିଭିନ୍ନ ଓ୍ବାର୍ଡର ଜନସାଧାରଣ ନିର୍ଦ୍ଧାରିତ ହୋଇଥିବା ଜାଗା ସମ୍ମୁଖରେ ଧାରଣା ଦେଇଛନ୍ତି ।