ଭୁବନେଶ୍ବର:ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ଭୋଟ ବର୍ଜନ ଡାକରା । ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ସଂଘ । ରାଜ୍ୟର ସ୍ବାସ୍ଥ୍ୟ ସେବାରେ ନିୟୋଜିତ ଥିବା ସମସ୍ତ ଆୟୁଷ ଡାକ୍ତର, ଆରବିଏସ୍କେ ଡାକ୍ତର, ଅନ୍ୟ ପାରାମେଡିକାଲ ଷ୍ଟାଫ ସହିତ ଏନ୍ଏଚ୍ଏମ୍ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ସେମାନେ ବୟକଟ୍ କରିଛନ୍ତି । ଏନେଇ ସେମାନେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେବ, ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଦାୟୀ ରହିବ ବୋଲି ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ସାମାଜିକ ସ୍ତରରେ ଅନ୍ୟ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଓ ଦରମା ବୃଦ୍ଧି କରିଥିବାବେଳେ ଏନ୍ଏଚ୍ଏମ୍ ଡାକ୍ତର ଓ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି । ଏସମା ଆଇନ ଲଗାଇ ନ୍ୟାର୍ଯ୍ୟ ଦାବିକୁ ଚୁପ କରାଇଥିଲେ ସରକାର । ଅତିଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ଏହି ସମ୍ପର୍କରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ନହେବା ପରେ ରାଜ୍ୟର ସମସ୍ତ ଠିକା ଆୟୁଷ ଡାକ୍ତର ଓ ଏନ୍ଏଚ୍ଏମ୍ କର୍ମଚାରୀ ରାଜ୍ୟ ସରକାରଙ୍କ ବିପକ୍ଷରେ ପ୍ରଚାର କରିବା ସହିତ ଭୋଟ ବର୍ଜନ ନିଷ୍ପତ୍ତି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମଧ୍ୟ ଅବଗତ କରାଇଛନ୍ତି ।