ବ୍ରହ୍ମପୁର: ୨୨ ହଜାରରୁ ଊର୍ଦ୍ଧ୍ଵ ବିଦ୍ୟାର୍ଥୀ ସମୂହ ଗୀତା ପାଠ କରି ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି । ବ୍ରହ୍ମପୁର ସହର ସମେତ ଉପଖଣ୍ଡରେ ରହିଥିବା ପ୍ରାୟ ୬୫ଟି ବିଦ୍ୟାଳୟର ପ୍ରାୟ ୨୨ ହଜାରରୁ ଊର୍ଦ୍ଧ୍ଵ ବିଦ୍ୟାର୍ଥୀଙ୍କ ସାମୁହିକ ଗୀତା ଆବୃତ୍ତି କରି ଏକ ନୂତନ ରେକର୍ଡ କରିଛନ୍ତି । ସହରର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଚିନ୍ମୟ ମିଶନ ବ୍ରହ୍ମପୁର ଶାଖା ପକ୍ଷରୁ ସାମୂହିକ ଗୀତା ପାଠ ଅନୁଷ୍ଠିତ ହୋଇଥିଲା ।
ଗୀତା ପଠନ କରି ଇଣ୍ଡିଆ ବୁକ ଅଫ ରେକର୍ଡ:
ବ୍ରହ୍ମପୁର ଚିନ୍ମୟ ମିଶନ କରାଯାଇଥିବା ସାମୁହିକ ଗୀତା ପଠନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହରର ବିଭିନ୍ନ ବିଦ୍ୟାଳୟର ୨୨ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଭଗବତ ଗୀତାର ପଞ୍ଚମ ଅଧ୍ୟାୟ କର୍ମ ସନ୍ୟାସ ଭାଗର ୨୦ଟି ଶ୍ଳୋକକୁ ଛାତ୍ରଛାତ୍ରୀ ସାମୂହିକ ଭାବେ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ବହି ନଦେଖି ଗୀତାକୁ ମୁଖସ୍ତ କରି ଗାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏଥିପାଇଁ ଚିନ୍ମୟ ମିଶନ ପକ୍ଷରୁ ୩ ମାସ ପୂର୍ବରୁ ୬୫ ସ୍କୁଲକୁ ଯାଇ ଶ୍ଳୋକ ପାଠ ନେଇ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ଏହା ଏକ ଅଦ୍ୱିତ୍ୱ କାର୍ଯ୍ୟକ୍ରମ । ଗୀତା ଆବୃତ୍ତିରେ ଏତେ ସଂଖ୍ୟାରେ ବିଦ୍ୟାର୍ଥୀ ସାମିଲ ହେବା ଏବଂ ଶୈଶବ ଅବସ୍ଥାରୁ ପ୍ରତ୍ୟେକ ବିଦ୍ୟାର୍ଥୀ ଭାଗବତ ଗୀତାରେ ମନନିବେଶ କରିବା, ବିଶେଷ କରି ଏକ ରେକର୍ଡ ସୃଷ୍ଟି କରିବା ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ହୋଇନାହିଁ । ମୁଖ୍ୟତଃ ଛାତ୍ର ତଥା ବିଦ୍ୟାର୍ଥୀମାନଙ୍କ ମନନିବେଶ ପାଇଁ ଏହା ସମ୍ଭବ ହୋଇପାରିଛି ।" ସେହିପରି ଚିକିଟିର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି, "ଚିନ୍ମୟ ମିଶନର ଏପରି ଏକ ରେକର୍ଡରେ ସାମିଲ ହେବା ଏବଂ ସାରା ରାଜ୍ୟ ତଥା ଦେଶରେ ଏକ ବିରଳ ପ୍ରୟାସ । ବ୍ରହ୍ମପୁରରେ ଏପରି ଏକ କାର୍ଯ୍ୟକ୍ରମର ଅଭିନବ ପ୍ରୟାସ । ଏହା ସ୍ୱାଗତଯୋଗ୍ୟ ।"
ଗୀତାର ୫ମ ଅଧ୍ୟାୟକୁ ସାମୂହିକ ପାଠ:
ସେପଟେ ଆୟୋଜକ ତଥା ବ୍ରହ୍ମପୁର ଚିନ୍ମୟ ମିଶନର ଆଚାର୍ଯ୍ୟା ସ୍ୱାମୀ ସଦାଶିବାନନ୍ଦ ଜୀ କହିଛନ୍ତି, "ଆମ ପୂଜ୍ୟ ଗୁରୁଦେବ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ । ସେ ବିଚାର କରିଥିଲେ ଯେ, ଦେଶ ପରାଧିନତା ହେବାର ମୁଖ୍ୟ କାରଣ ସାଧାରଣ ଜନତା ଭୋଗୀ ହୋଇଯିବା । ଲୋକମାନେ ଯେପରି ଯୋଗୀ ଓ ତପସ୍ୱୀ ହେବେ, ଲୋକମାନ୍ୟ ଆଧ୍ୟାତ୍ମିକ ହେଲେ ଏସବୁ ସମ୍ଭବ ହୋଇପାରିବ । ତେଣୁ ଭଗବତ ଗୀତାକୁ ସାର୍ବଜନୀନ କରିବା ପାଇଁ ରହିଥିବା ଲକ୍ଷ୍ୟକୁ ପୂରଣ କରିବାକୁ ଏପରି ଗୀତାର ୫ମ ଅଧ୍ୟାୟକୁ ସାମୁହିକ ଭାବରେ ପାଠ କରାଯାଇଥିଲା । ପ୍ରଥମ ୨୦ଟି ଶ୍ଲୋକଟି ପିଲାମାନେ ବହି ନଦେଖି ପାଠ କରିଛନ୍ତି । ମୁଖ୍ୟତଃ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବନା ଉଦ୍ରେକ କରିବା ଲକ୍ଷ୍ୟ ନେଇ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।"