ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି । ଏହା ସହିତ ଅଙ୍ଗନବାଡି କର୍ମୀଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ହୋଇଛି । ସେହିପରି ସେମାନଙ୍କ ସାମାଜିକ ସୁରକ୍ଷା ଭାବରେ ଅନୁକମ୍ପା ସହାୟତା ମିଳବ । ଏହା ଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
ଅଧିକ ପଢନ୍ତୁ- ପ୍ରତିଶୃତି ପୂରଣ କଲେନି ସରକାର; ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡି ୱାର୍କସ
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଙ୍ଗନବାଡି କର୍ମୀ ତଥା ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହୋଇଛି । ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।