ଭୁବନେଶ୍ବର:ଆତଙ୍କର ଗଡ଼ ସାଜିଛି ଭୁବନେଶ୍ବର । ମାତିଛନ୍ତି ଝରକା ତଡ଼ା ଗ୍ୟାଙ୍ଗ୍ । ସମସ୍ତେ ଶୋଇଥିବା ବେଳେ ନିଶା ସ୍ପ୍ରେ କରି ବୁଲାଇଛନ୍ତି କଳାକନା । ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ଟି ପାରା । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗରରେ । ସେଠାରେ ରହୁଥିବା ବ୍ୟାଙ୍କ କର୍ମଚାରୀ ମନୋଜ ବେହେରାଙ୍କ ପରିବାର ଶୋଇଥିବା ବେଳେ ନିଶା ସ୍ପ୍ରେ କରି ଏଭଳି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।
ଅଭିଯୋଗ ଅନୁସାରେ, ମନୋଜ ବେହେରା ପରିବାର ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପ୍ରଥମେ ଗ୍ରୀଲକୁ ତାଡି ଘରେ ପଶିଥିଲେ । ଏପରିକି ଘରେ ଲୋକ ଥିବା ଜାଣି ମଧ୍ୟ ସାହାସର ସହ ସଶସ୍ତ୍ର ମାରଣାସ୍ତ୍ର ଧରି ଘରେ ପଶିଥିଲେ । ପରେ ଘର ଲୋକ ଉଠିଯିବା ପୂର୍ବରୁ ତାଙ୍କ ଉପରକୁ ନିଶା ସ୍ପ୍ରେ କରି କଳାକନା ବୁଲାଇଥିଲେ । ଆଲମିରାରୁ ନଗଦ ଟଙ୍କା, ସୁନାରୂପା ଅଳଙ୍କାର ସହ ୨୦ଟି ପାରା ନେଇ ଛୁ ମାରିଥିଲେ । ତେବେ ପାଖାପାଖି ୧୫ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ବ୍ୟାଙ୍କ କର୍ମଚାରୀ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପାଇ ପୋଲିସ କର୍ମଚାରୀ ଲୁଟ ସମୟରେ ଲୁଟେରାଙ୍କ ଗତିବିଧି ଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି ।