ଭୁବନେଶ୍ୱର: ଆସନ୍ତାକାଲି ହେଉଛି ମହାଶିବରାତ୍ରୀ ।ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର । ରାଜ୍ୟର ସମସ୍ତ ଶିବାଳୟରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହାରି ଭତରେ ରାଜଧାନୀର ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା ସ୍ଥିତ ପ୍ରସିଦ୍ଧ ଶ୍ରୀ ବ୍ରହ୍ମେଶ୍ୱରଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଠାରେ ରାତି ୧୦.୩୦ରେ ଉଠିବ ମହାଦୀପ । ଭଜନ ସନ୍ଧ୍ୟା ଓ ଗୀତ ଗୋବିନ୍ଦ ଗାନ ସହ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ । ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱରର ପ୍ରାଚୀନ ଶୈବ ମନ୍ଦିର ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରକୁ ଶିବରାତ୍ରୀ ଓ ଜାଗରଯାତ୍ରା ଉପଲକ୍ଷେ ରାଜଧାନୀ ତଥା ଆଖପାଖରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସନ୍ତି । ଏହି ଦିବସରେ ମନ୍ଦିରର କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ଭୋର ରାତ୍ରୀ ୩ଟାରୁ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ବିଭିନ୍ନ ନୀତି ସମାପନ ପରେ ସକାଳ ୬ଟାରେ ସାହାଣମେଲା ଦର୍ଶନ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହେବ । ପରେ ପରେ ସକାଳ ୧୦ଟା ପର୍ଯ୍ୟନ୍ତ ବେଦ ପାଠ କରାଯିବ । ଲୋକନାଥ ରୋଡ, ପୁରୀସ୍ଥିତ ଶ୍ରୀରାମଚନ୍ଦ୍ର ସ୍ୱାମୀ ବେଦ ବିଦ୍ୟାଳୟରୁ ପଣ୍ଡିତ ଦେବେନ୍ଦ୍ର କୁମାର ଦ୍ୱିବେଦୀ ଏବଂ ତାଙ୍କର ୫ ଜଣ ସହଯୋଗୀ ବେଦପାଠ କରିବେ । ସେହିପରି ମଧ୍ୟାହ୍ନରେ ରୋଶହୋମ ଆଦି ନୀତି ପରେ ଅପରାହ୍ନ ୩ଟା ଓ ସନ୍ଧ୍ୟା ୫.୩୦ ରେ ସାହାଣମେଲା ଦର୍ଶନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ବିଭିନ୍ନ ନୀତି ପରେ ରାତି ୧୦.୩୦ରେ ମହାଦୀପ ଉଠିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ମହାଶିବରାତ୍ରୀ ଓ ଜାଗର ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଏଠାରେ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ରଖାଯାଇଛି । ସେଦିନ ସନ୍ଧ୍ୟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ଏଥିରେ ମୁମ୍ବାଇର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନନ୍ତ ଭରଦ୍ୱାଜ, ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ ସମେତ ଆଦର୍ଶ, ଊର୍ମି, ତୃପ୍ତି ନାୟକ, ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ବହୁ କଣ୍ଠଶିଳ୍ପୀ ଯୋଗଦାନ କରି ଭଜନ ପରିବେଷଣ କରିବେ ।