ବଲାଙ୍ଗୀର:ବଲାଙ୍ଗୀରର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଗୌରବ ଶିବାଜୀ ଇସଲଓ୍ବାର । ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିଦାୟ ଦିଆଯାଇଥିଲା । ତେବେ ଦାୟିତ୍ବ ଗ୍ରହଣ ପରେ ନୂଆ ପ୍ରକଳ୍ପ ତ୍ୱରାନ୍ୱିତ କରିବା ସହ ଆଗାମୀ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ଗୌରବ ଶିବାଜୀ ।
ସେ କହିଛନ୍ତି ଯେ, ଆଗକୁ ନିର୍ବାଚନ ରହିଛି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି କିପରି ସୂଚାରୁ ରୁପେ ରହିବ । ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ । ତେଣୁ ଏହା ଆମ ପାଇଁ ବହୁତ ବଡ ଚ୍ୟାଲେଞ୍ଜ । ସେହିପରି ବିକାଶ ମୂଳକ କାମକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗୀର ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବରେ ସାରା ଦେଶରେ ପରିଗଣିତ । ସେହିପରି ରାଜନୈତିକ ଦୃଷ୍ଟିରୁ ଏହି ଜିଲ୍ଲା ବହୁ ଗୁରୁତ୍ବ ବହନ କରି ଆସିଛି । ତେବେ ଏଠି ପ୍ରଶାସନ ପାଇଁ ସବୁବେଳେ କାମ କରିବା ଏକ ପ୍ରକାରର କଠିନ ହୋଇ ଆସିଥାଏ । ଏହି ଜିଲ୍ଲାର ବିକାଶ ପାଇଁ ଲୋକଙ୍କ ପାଖକୁ ସବୁ ସରକାରୀ ଯୋଜନା ଯେମିତି ପହଞ୍ଚିବ ତା ପାଇଁ କାମ କରିବେ ବୋଲି କହିଛନ୍ତି ।
ସେହିପରି ଏହି ଜିଲ୍ଲା ପାଇଁ ଥିବା ନୂଆ ଯୋଜନା ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବେ । ସମାନ ଭାବରେ ଏଠି ଚାଲିଥିବା ସବୁ ଛୋଟ ବଡ ପ୍ରକଳ୍ପର କାମ ମଧ୍ୟ ସେ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏଥିସହ ବଲାଙ୍ଗୀର ଜୀବନ ରେଖା ଲୋୟର ସୁକତେଲ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ କରିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି । ତେବେ ଏହା ପାଇଁ ସେ ଖୁବ ଶୀଘ୍ର ବୈଠକ ଡାକିବେ ଓ ବିସ୍ଥାପନ ସମସ୍ୟା ଠାରୁ ନେଇ ପ୍ରକଳ୍ପର ବିଭିନ୍ନ ସମସ୍ୟା ବୁଝିବେ ବୋଲି କହିଛନ୍ତି ।