ଓଡିଶା

odisha

ETV Bharat / state

ଆଉ ନାହାନ୍ତି ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ, ଶିକ୍ଷକରୁ ପାଲଟିଥିଲେ ବିଧାୟକ - Aditya Madhi Passes Away

Former MLA Aditya Madhi Passes Away: ମାଲକାନଗିରିର ପୂର୍ବତନ ବିଜେପି ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ । ସେ କିଡନୀ ଜନିତ ରୋଗରେ ପୀଡିତ ଥିଲେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 3, 2024, 7:17 PM IST

ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ
ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ (ETV Bharat Odisha)

ମାଲକାନଗିରି/ଭୁବନେଶ୍ବର:ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ । ମାତ୍ର ୫୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ । ମାଲକାନଗିରିରେ ରହି ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ଅପରାହ୍ନ ୫ଟା ବେଳେ ପରଲୋକ ଘଟିଛି ।

Former Malkangiri MLA Aditya Madhi Passes Away (ETV Bharat Odisha)

ଆଦିତ୍ୟ ମାଢୀଙ୍କ ଦେହାନ୍ତ ପରେ ପ୍ରଥମେ ବିଧାନସଭା ଓ ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ତାଙ୍କ ପାର୍ଥିବ ଶରୀର ନିଆଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତା ଶେଷ ଦର୍ଶନ କରିଥିଲେ । ଆଦିତ୍ୟଙ୍କ ଆତ୍ମାର ସଦଗତି ସହିତ ତାଙ୍କ ପରିବାରକୁ ଭଗବାନ ଧର୍ଯ୍ୟ ଦେବାପାଇଁ ଭଗବାନଙ୍କ ପ୍ରାର୍ଥନା କରିଥିଲେ । ଏଥିସହିତ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପତକା ଦେଇ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲା ।

ଆଦିତ୍ୟ ମାଢୀ ୨୦୧୯ରୁ ୨୦୧୪ ପର୍ଯ୍ୟନ୍ତ ମାଲକାନଗିରି ଆସନରୁ ବିଜେପି ବିଧାୟକ ରହିଥିଲେ । ତାଙ୍କର ପୈତୃକ ଘର ହେଉଛି ପଡିଆ ବ୍ଲକର ବାପନପାଲୀ ପଞ୍ଚାୟତ ଅନ୍ତର୍ଗତ ରଦନପାଲୀ ଗ୍ରାମରେ । ଯୁବକ ବେଳରୁ ସେ ଆରଏସଏସ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସ୍ବୟଂସେବକ ରୂପେ ପଡିଆ ବ୍ଲକରେ କାର୍ଯ୍ୟ କରୁଥିଲେ । ପରେ ଶିକ୍ଷକ ନିଯୁକ୍ତି ପାଇବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିଥିଲେ । ପେଶା ଶିକ୍ଷକତା ଥିଲେ ମଧ୍ୟ ନିଶା ଆରଏସଏସର କାର୍ଯ୍ୟ ଉପରେ ଥିଲା ।

୨୦୦୯ ମସିହାରେ ଯେତେବେଳେ ବିଜେଡି ସହ ବିଜେପିର ମେଣ୍ଟ ଭାଙ୍ଗିଲା, ସେତେବେଳେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ କିଏ ବିଧାୟକ ରୂପେ ଛିଡା ହେବ ସେନେଇ ଚର୍ଚ୍ଚା ଧରିଲା । କେହି ମଧ୍ୟ ଆଗକୁ ଆସିଲେ ନାହିଁ । ସେତେବେଳେ ଆଦିତ୍ୟ ମାଢୀ ଚାକିରି ଛାଡି ବିଧାୟକ ପାଇଁ ଲଢେଇ କରିଥିଲେ । ସେ ପରାସ୍ତ ହୋଇଥିଲେ ମଧ୍ୟ ବିଜେପି ପାଇଁ ଜୋରଦାର କାମ ଆରମ୍ଭ କଲେ । ପରେ ୨୦୧୪ରେ ପୁଣି ବିଜେପି ତାଙ୍କୁ ଟିକଟ ଦେଇଥିଲା । ଏଥର ମଧ୍ୟ ସେ ପରାସ୍ତ ହେଲେ କିନ୍ତୁ ୨୦୧୯ରେ ସେ ଏକତରଫା ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପରଲୋକରେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ - Former Odisha Governor dies

ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ୨୦୨୦ରେ ସେ କୋରୋନା ଆକ୍ରାନ୍ତ ହୋଇଥିଲେ । ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । କିନ୍ତୁ ଦ୍ବିତୀୟ ଥର କୋରୋନା ହେବା ପରେ ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଥିଲା । ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଗୋଟିଏ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । କିନ୍ତୁ ପୂର୍ବଭଳି ସେ ଆଉ କୌଣସି ବିଜେପିର କାର୍ଯ୍ୟରେ ଯୋଗ ଦେଇପାରି ନଥିଲେ । ଦେହ ସବୁବେଳେ ଅସୁସ୍ଥ ରହୁଥିବାରୁ ସେ ଘରେ ରହୁଥିଲେ ।

ତାଙ୍କର ବିୟୋଗରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବର୍ତ୍ତମାନର ମାଲକାନଗିରିର ବିଜେପି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ମାନସ ମାଡକାମୀ, ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ, ସାଧାରଣ ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସଂଜୟ ସରକାର ସମେତ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀମାନେ ଶୋକ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details