ଅନୁଗୋଳ: ପ୍ରକୃତି କ'ଣ ? ପ୍ରକୃତି ଆମକୁ କ'ଣ ଦେଇଛି ? ପ୍ରକୃତିରେ କ'ଣ ଏବେ ବି ଭରପୁର ରହିଛି ? ଏ ସବୁ ବିଷୟରେ ଜାଣିବା ଓ ଜଣାଇବା ଉଦ୍ଦେଶ୍ୟରେ ୟୁଥ ହଷ୍ଟେଲ ଅଫ ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏହା ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଆୟୋଜିତ ହୋଇଥିବାବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଯୁବବର୍ଗ ସାମିଲ ହୋଇଥିଲେ ।
ୟୁଥ ହଷ୍ଟେଲ ଅଫ ଓଡିଶା ପକ୍ଷରୁ ବାର୍ଷିକ ଶୀତକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ ହଷ୍ଟେଲ ଅଫ ଓଡିଶା ନାଲକୋ ୟୁନିଟ ପକ୍ଷରୁ ଚଳିତ ବର୍ଷ ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଟ୍ରାକିଂ ପାଇଁ ଶିବିରାର୍ଥୀମାନେ ବନ୍ତଳା ବନାଞ୍ଚଳର ବାଘୁଆବୋଲ କ୍ୟାମ୍ପରୁ ବାହାରି ପମ୍ପାସର ଜଙ୍ଗଲ ମଧ୍ୟରେ ପାହାଡ଼ ଛାଡିଥିଲେ । ତେବେ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ସେମାନଙ୍କୁ ଜଙ୍ଗଲ ଓ ବାୟୋ ଡାଇଭରସିଟି ସମ୍ପର୍କରେ ଧାରଣା ଦିଆଯିବା ସହ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ଟ୍ରାକିଂ କରାଯାଇଥିଲା ।
ବିଶେଷ କରି ଦିଲ୍ଲୀ, କୋଲକାତା, ଛତିଶଗଡ଼ ଆଦି ରାଜ୍ୟର ସମେତ ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲା ବାହାରର ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅଭୟାରଣ୍ୟର ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଭିତରେ ପ୍ରାୟ ୬ରୁ ୭ କି.ମି ପାଦରେ ଚାଲି ଚାଲି ଯାଇଥିଲେ । ଏହି ସମୟରେ ବିଭିନ୍ନ ପ୍ରଜାତିର ଗଛ ବୃକ୍ଷ, ବନ୍ୟଜନ୍ତୁ, ପକ୍ଷୀ ଓ ସରୀସୃପମାନଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ସାଙ୍ଗରେ ଥିବା ଅଭିଜ୍ଞ ପରିବେଶବିତ ଓ ବନ୍ୟଜନ୍ତୁ ବିଶେଷଜ୍ଞ ମାନେ ସେମାନଙ୍କୁ ପରିବେଶ ଜଙ୍ଗଲ ଓ ଜଙ୍ଗଲ ବିଶେଷତ୍ଵ ଓ ବାୟୋ ଡାଇଭରସିଟି ସମ୍ପର୍କରେ ବୁଝାଇଥିଲେ ।