ଓଡିଶା

odisha

ETV Bharat / state

ଓଡ଼ିଶା ମୁହାଁ ବାତ୍ୟା ‘ଦାନା’: ପାରାଦ୍ବୀପ, ଗୋପାଳପୁର ଓ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ

୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ଦାନା । ଓଡ଼ିଶାର ୩ ପ୍ରମୁଖ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କଲେ ରାଜ୍ୟ ସରକାର ।

ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ
ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ୱର: ଓଡିଶା ଉପକୂଳମୁହାଁ ହେଉଥିବା ସାମୁଦ୍ରିକ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ବନ୍ଦରରେ ଜାରି ହେଲା ୧ ନମ୍ବର ବିପଦ ସଙ୍କେତ । ଜଗତସିଂହପୁରର ପାରାଦ୍ବୀପ, ଗଞ୍ଜାମର ଗୋପାଳପୁର ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପାଇଁ ଏହି ନିର୍ଦ୍ଦେଶାବଳି ଜାରି କରାଯାଇଛି । ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର (ASRC) ଏହି ତିନି ଜିଲ୍ଲାର ମାଜିଷ୍ଟ୍ରେଟଙ୍କୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ୧ ନମ୍ବର ବିପଦ ସଙ୍କେତ (ସିଗନାଲ ଡିସି-1) ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

  • ବନ୍ଦରରେ ବିପଦ ସଙ୍କେତ

ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇସାରିଛି । ଏହା 24 ତାରିଖରେ ଅତିଭୀଷଣ ବାତ୍ୟା ଭାବେ ଓଡିଶା ଉପକୂଳ ନିକଟତର ହେବା ନେଇ ପୂର୍ବାନୁମାନ କରାଯାଉଛି । ସେହି ସମୟରେ ପବନର ବେଗ ପ୍ରାୟ 100 ରୁ 120 ମଧ୍ୟରେ ରହିବ । ତେଣୁ ଏହି ତିନି ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଲାଗୁ କରିବାକୁ ଜିଲ୍ଲାପାଳମାନେ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ । ଏହା ସହ ଗୋପାଳପୁର, ପାରାଦୀପ ଏବଂ ଧାମର ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଏହି ତିନି ଜିଲ୍ଲାର ଜିଲ୍ଲା ପ୍ରଶାସନ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ ଚିଠିରେ ଅନୁରୋଧ କରାଯାଇଛି । ଏହି ନିର୍ଦ୍ଦେଶନାମାକୁ ଜରୁରୀ ବୋଲି ଦର୍ଶାଯିବା ସହ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଚିଠିରେ ଉଲ୍ଲେଖ କରିଛି ଏସଆରସି କାର୍ଯ୍ୟାଳୟ ।

ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ (ETV Bharat Odisha)
  • ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି
  • ୨୪ ତାରିଖରେ ଅତିଭୀଷଣ ବାତ୍ୟା ଭାବେ ଓଡିଶା ଉପକୂଳ ନିକଟତର ହେବା ନେଇ ପୂର୍ବାନୁମାନ
  • ସେହି ସମୟରେ ପବନର ବେଗ ପ୍ରାୟ 100 ରୁ 120 କିଲୋମିଟର ରହିବ
  • ତିନି ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଲାଗୁ କରିବାକୁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
  • ଗୋପାଳପୁର, ପାରାଦୀପ ଏବଂ ଧାମର ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
  • ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ବନ୍ଦର
  • ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର
  • ଭଦ୍ରକ ଜିଲ୍ଲାର ଧାମରା ବନ୍ଦର
ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ପାରାଦୀପଠାରୁ ପ୍ରାୟ 730 କିମି ଦୂରରେ ଅବପାତ:-

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ପୂର୍ବାହ୍ନ ସୁଦ୍ଧା ଅବପାତରେ ପରିଣତ ହୋଇସାରିଛି । ଏହା ଏବେ ପାରାଦୀପଠାରୁ ପ୍ରାୟ 730 କିଲୋମିଟର ଦକ୍ଷିଣ-ପୂର୍ବରେ ଓ ବାଂଲାଦେଶର ଖେପୁପାରାଠାରୁ 740 କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବରେ ସମୁଦ୍ର ମଝିରେ କେନ୍ଦ୍ରୀଭୂତ ରହିଛି । ଏହା ଆଜି ସଂଧ୍ୟା କିମ୍ବା ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବା ସହ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ଓ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗମୁହାଁ ହେବ । ଏହାର ପ୍ରାରମ୍ଭିକ ଗତିପଥ ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି । ସମୟ ଅତିବାହିତ ହେବା ସହ ଏହାର ଗତିପଥ ଓ ତୀବ୍ରତାରେ ମଧ୍ୟ କ୍ରମଶଃ ସ୍ପଷ୍ଟତା ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details