ଓଡିଶା

odisha

ଦୁଇଦିନ ପରେ ଯୁକ୍ତ ଦୁଇ ପରୀକ୍ଷା, କପି ରୋକିବ ସିସିଟିଭି

By ETV Bharat Odisha Team

Published : Feb 13, 2024, 10:09 PM IST

CCTV to curb cheating in Plus Two Exam: ତ୍ରୁଟିଶୂନ୍ୟ ହେବ ଯୁକ୍ତ ଦୁଇ ପରୀକ୍ଷା । କପି ରୋକିବା ସହ ସ୍ବଚ୍ଛତା ବଜାୟ ରଖିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ଓ ସିସିଟିଭିର ବ୍ୟବସ୍ଥା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢ଼ନ୍ତୁ

ଦୁଇଦିନ ପରେ ଯୁକ୍ତ ଦୁଇ ପରୀକ୍ଷା
ଦୁଇଦିନ ପରେ ଯୁକ୍ତ ଦୁଇ ପରୀକ୍ଷା

ଦୁଇଦିନ ପରେ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଆଉ ଦୁଇ ଦିନ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏପରିକି କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯିବା ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଥିଓରୀ ପରୀକ୍ଷା ସମୟରେ କପି ରୋକିବା ପାଇଁ ଚଳିତ ବର୍ଷ ତ୍ରିସ୍ତରୀୟ ସ୍କ୍ବାଡ ନିଯୁକ୍ତ କରାଯାଇଛି । କପି ହେଉଥିବା କେନ୍ଦ୍ର ଗୁଡ଼ିକ ଉପରେ କଡାକଡି ଭାବରେ ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଏପଟେ ପରୀକ୍ଷା ସମୟରେ ଲାଇଭ ଷ୍ଟ୍ରିମିଙ୍ଗ୍‌ ମଧ୍ୟ କରାଯିବ । ଫଳରେ ପରୀକ୍ଷା ସମୟରେ ସ୍ବଚ୍ଛତା ବଜାୟ ରଖାଯାଇପାରିବ ବୋଲି କହିଛନ୍ତି ବିଜେବି କଲେଜ ଅଧ୍ୟକ୍ଷ ରଞ୍ଜନ ବଳ ।

ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଖାପାଖି 3 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି 1158ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ 7ଟି ଉପକେନ୍ଦ୍ର କରାଯାଇଛି । ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ କଲେଜ ହବ୍‌ ଗୁଡ଼ିକରେ ଥିବା ଷ୍ଟ୍ରଙ୍ଗ ରୁମରେ ସିସିଟିଭି କ୍ୟାମେରା ଲଗାଇବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ବିଜେବି ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି, "ବିଜେବି କଲେଜ କେନ୍ଦ୍ରରେ 2278 ପିଲା ପରୀକ୍ଷା ଦେବେ । ଏହା ସହିତ KIISକୁ ମଧ୍ୟ ସବ୍‌ ସେଣ୍ଟର କରାଯାଇଛି । ସେଠାରେ 11ଟି କଲେଜର 681 ପିଲା ପରୀକ୍ଷା ଦେଉଛନ୍ତି । ଗତକାଲିଠାରୁ ପ୍ରଶ୍ନପତ୍ର କେନ୍ଦ୍ରକୁ ଆସିଯାଇଛି । ପ୍ରଶ୍ନପତ୍ର ସୁରକ୍ଷିତ ଭାବରେ ରଖାଯାଇଛି । ବିଜେବି କଲେଜରେ 15ଟି ପରୀକ୍ଷା ହଲ କରାଯାଇଛି । ପ୍ରତି ହଲରେ 90 ଜଣ ପିଲା ପରୀକ୍ଷା ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ...ଯୁକ୍ତ ଦୁଇ ପରୀକ୍ଷାରେ ଗୋପନୀୟତା ବଜାୟ ରଖିବାକୁ CHSEର ନିର୍ଦ୍ଦେଶାବଳୀ

ଏହା ସହିତ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ସମୟରେ ଆଡମିଟ କାର୍ଡ ସହ ବଲ୍‌ବ୍‌ ପେନ୍‌ ଏବଂ ପାଣି ବୋତଲ ସାଙ୍ଗରେ ନେବାକୁ ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ କୌଣସି ପ୍ରକାର ଘଣ୍ଟା ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ମଧ୍ୟକୁ ନେଇପାରିବେ ନାହିଁ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ରଞ୍ଜନ ବଳ । ପ୍ରକାଶ ଥାଉ, ଫେବୃଆରୀ 16 ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ 20 ତାରିଖ ଯାଏଁ ଚାଲିବ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତ ବିଭାଗରେ ପରୀକ୍ଷା ସକାଳ 10ଟା ସମୟରୁ ଆରମ୍ଭ ହେବ । ପରୀକ୍ଷା ସମୟରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ତଥା କପି ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details