ଓଡିଶା

odisha

ETV Bharat / state

ଚାଷ ପାଇଁ ବଦଳାଇଲେ ପେଷା; ଚାକିରୀ ଛାଡ଼ି ଚାଷକୁ ବେଉସା, ସଫଳ ହଲେ ଚନ୍ଦନ

Chandan Kumar Khuntia A Successful Farmer: ଚାଷ ପାଇଁ ଛାଡ଼ିଦେଲେ ଚାକିରୀ । ଚାକିରୀ ଛାଡ଼ି ଚାଷକୁ ନିଜ ବେଉସା କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jan 27, 2024, 10:27 PM IST

ଚାଷ ପାଇଁ ବଦଳାଇଲେ ପେଷା
ଚାଷ ପାଇଁ ବଦଳାଇଲେ ପେଷା

ଚାଷ ପାଇଁ ବଦଳାଇଲେ ପେଷା

ନିମାପଡ଼ା/ସତ୍ୟବାଦୀ:ଚାଷ ପାଇଁ ଛାଡ଼ିଦେଲେ ଚାକିରୀ । ବର୍ତ୍ତମାନ ସମୟରେ ଅନେକ ଲୋକ ଚାକିରୀ ପଛରେ ଗୋଡାଇ ଚାଷ ଉପରୁ ମୁହଁ ଫେରାଇ ନେଉଛନ୍ତି । ଆଉ ଏତିକି ବେଳେ ଜଣେ ବ୍ୟକ୍ତି ଚାକିରୀ ଛାଡ଼ି ଚାଷ କାମ କରିବାକୁ ମନ ବଳାଇଛନ୍ତି । ଆଉ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଚାକିରୀ ଛାଡ଼ି ଚାଷକୁ ନିଜ ବେଉସା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଗୁଆଳିଗୋରଡା ଅଂଚଳର ସଫଳ ଚାଷୀ ଚନ୍ଦନ କୁମାର ଖୁଣ୍ଟିଆ ।

ତେବେ ଚନ୍ଦନ ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ଆକାଉଣ୍ଟାଣ୍ଟ ଚାକିରୀ ଛାଡ଼ି ଚାଷକୁ ପେଷା ଭାବରେ ଗ୍ରହଣ କରି ସ୍ଵାବଲମ୍ଵୀ ହୋଇ ପାରିଛନ୍ତି । ଭଲ ଦରମାରେ ଚାକିରୀ କରୁଥିଲେ ମଧ୍ୟ ଚାକିରୀ ଛାଡି ଚାଷ କରିବାକୁ ଆଗ୍ରହ ଦେଖାଇଥିଲେ ଚନ୍ଦନ । ପ୍ରାୟ ୧୨ ବର୍ଷ ହେବ ଚାକିରୀ ଛାଡ଼ି ଚାଷକୁ ନିଜର ବୃର୍ତ୍ତି ଭାବରେ ଗ୍ରହଣ କରି ଭଲ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହୋଇ ପାରିଛନ୍ତି ଚନ୍ଦନ । ନିଜ ପୈତୃକ ଚାଷ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ଖାଲୁଆ ଧାନ ଜମିକୁ ମାଟି ପୋତି ବର୍ଷକ ବାରମାସ ଚାଷ ଉପଯୋଗୀ କରି ପନିପରିବା ଚାଷ କରୁଛନ୍ତି । ବିଶେଷ କରି ଜୈବିକ ସାର ପ୍ରୟୋଗରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚନ୍ଦନ, ପନିପରିବା ଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜେ ଉନ୍ନତମାନର ଚାରା ପ୍ରସ୍ତୁତ କରି ଦୈନିକ ୧୫ରୁ ୨୦ ହଜାର ଟଙ୍କାର ପରିବା ବିକ୍ରି କରୁଛନ୍ତି ।

ଚନ୍ଦନ କଲିକତାରୁ ୧୦୦ ଟଙ୍କା ମୂଲ୍ୟରେ ୨୫୦ ଟି ଥାଇଲାଣ୍ଡ ବରକୋଳି ଗଛ ଚାରା ଆଣି ଏହାକୁ ଲଗାଇ ଦୈନିକ କୁଇଣ୍ଟାଲରୁ ଅଧିକ ବରକୋଳି ଅମଳ କରୁଛନ୍ତି । କେଜି ପ୍ରତି ୬୫ ରୁ ୭୦ ଟଙ୍କା ନିଜ ଜମି ପାଖରେ ବେପାରୀଙ୍କୁ ବିକ୍ରି କରୁଥିବା ବେଳେ ବଜାରରେ ଏହାର ମୂଲ୍ୟ ୧୦୦ଟଙ୍କାରୁ ଊର୍ଦ୍ଧ୍ବ ରହିଛି । ବିଶେଷକରି ଜୈବିକ ସାର ପ୍ରୟୋଗ ପାଇଁ ସୁନାର ଫସଲ ଫଳାଇ ଚନ୍ଦନ ଜଣେ ସଫଳ ଚାଷୀ ହୋଇ ପାରିଥିବା ବେଳେ ଆବଶ୍ୟକ ଅନୁସାରେ ଜମିରେ ବିଭିନ୍ନ ଫସଲ କରିଥାନ୍ତି । ନିଜ ଜମିରେ ପାଣିପାଗକୁ ଦେଖି ବିଭିନ୍ନ ପନିପରିବା ଚାଷ କରୁଥିବା ବେଳେ ଏବେ କାଙ୍କଡ଼, ପୋଟଳ, ଶିମ୍ବ, ଟମାଟୋ, ଥାଇଲାଣ୍ଡ ବରକୋଳି, ଝୁଡ଼ଙ୍ଗ, କ୍ୟାପିସକମ ଭଳି ପରିବା ଚାଷ କରୁଛନ୍ତି । କେବଳ ଚାଷ ନୁହେଁ ଏହି ପନିପରିବା ଚାରା ପ୍ରସ୍ତୁତ କରି ଚାଷ କରିବା ପାଇଁ ଅନ୍ୟ ଚାଷୀମାନଙ୍କୁ ପ୍ରୋତ୍ସାହନ ମଧ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ସଫଳ ଚାଷୀ ବିଭୂତି; ସମ୍ମିଳିତ କୃଷି କରିଛି ଆତ୍ମନିର୍ଭରଶୀଳ, ବର୍ଷକୁ 10 ଲକ୍ଷ ରୋଜଗାର

ଅନେକ ସମୟରେ ବିଭିନ୍ନ ଟ୍ରେନିଂ ଆୟୋଜନ କରି ଚାଷୀଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରୁଛନ୍ତି । ନିଜ ଚାଷ ଜମିରେ ଚାଷ କରି ସ୍ଥାନୀୟ ଅଂଚଳରେ ଚନ୍ଦନଙ୍କ ଲୋକପ୍ରିୟତା ବଢି ଚାଲିଥିବା ବେଳେ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କର ଜ୍ଞାନ କୌଶଳରେ ପ୍ରେରିତ ହୋଇ ଅନେକ ଚାଷ ପ୍ରତି ଆଗ୍ରହ ବଢ଼ାଉଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ଅନେକ ସାହଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବା ବେଳେ ଚନ୍ଦନଙ୍କୁ ସରକାରୀ ସହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି । କେବଳ ନିଜେ ସ୍ଵାବଲମ୍ବୀ ହୋଇଛନ୍ତି ତାହା ନୁହେଁ ବରଂ, ବର୍ଷ ତମାମ ନିଜ ଜମିରେ ଅନ୍ୟମାନଙ୍କୁ କାମ ଦେଇ ରୋଜଗାର ଯୋଗାଇ ଦେଉଛନ୍ତି । ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ପଦ୍ଧତିରେ ଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବର୍ଷ ତମାମ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି, ଯେଉଁଥିପାଇଁ ଚନ୍ଦନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details