ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ହ୍ରାସ ପାଉଛି । ବିଜେଡି ବିଜେପି ପୂର୍ବରୁ ୯ ବର୍ଷ ମିଳିତ ଭାବେ ଶାସନ କରିଛନ୍ତି । ମୋଦିଙ୍କୁ ନବୀନ ପ୍ରତ୍ୟେକ କ୍ଷେତ୍ରରେ ଆକୁଣ୍ଠ ସମର୍ଥନ ମଧ୍ୟ ଦେଇଛନ୍ତି । ତେବେ ରାଜ୍ୟରେ ବିଜେଡି-ବିଜେପି ଏକ ବୋଲି ବିରୋଧୀ କଂଗ୍ରେସ ଦାବି କରିଆସୁଥିବା ବେଳେ ଆଜି ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ମେଣ୍ଟ ହେବ କି ନାହିଁ କେନ୍ଦ୍ର ନେବ ନିଷ୍ପତ୍ତି ବୋଲି ସେ କହିଛନ୍ତି ।
ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ବରରେ ଭାରତୀୟ ଜନତା ପାର୍ଟିର ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି, "ମେଣ୍ଟ ହେବ କି ନାହିଁ କେନ୍ଦ୍ର ନେବ ନିଷ୍ପତ୍ତି ବୋଲି ବିଜୟ ପାଲ ତୋମାର କହିଛନ୍ତି ।ସବୁ ଆସନରେ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତ ରହିଛି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ଆମେ ସେଥିରେ ସହମତି ଦେବୁ ।" ସେପଟେ ବିଜେଡି କିନ୍ତୁ ଏହାକୁ ଗ୍ରହଣ କରିନାହିଁ । ବିଜେଡିର ବରିଷ୍ଠ ନେତା ନୃସିଂହ ସାହୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, "ମେଣ୍ଟକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି । ମୋର ଯେତିକି ଧାରଣା ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ । ବିଜେଡି ଏକାକୀ ଲଢ଼ିବ । ଆଉ ବହୁତ ସଂଖ୍ୟାରେ ମଧ୍ୟ ଜିତିବ । ତେଣୁ ମେଣ୍ଟର ଆବଶ୍ୟକତା କିଛି ନାହିଁ ।"
ଉଭୟ ବିଜେଡି ଏବଂ ବିଜେଡିର ଭିତିରି ସମ୍ପର୍କକୁ ନେଇ ସବୁବେଳେ କହିଆସୁଥିବା କଂଗ୍ରେସ ପୁଣି ମେଣ୍ଟ ନେଇ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛି । ସାରା ଓଡ଼ିଶାରେ ବିଜେଡି ବିଜେପିର ପ୍ରତିକାତ୍ମକ ଭାବେ ବିବାହ କରାଇ ଲୋକଙ୍କ ମନରେ ଉଭୟ ଦଳ ଏକ ବୋଲି ବିଶ୍ବାସ ଜନ୍ମାଇବାକୁ ପ୍ରୟାସ ଜାରି ରଖିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ବିଜେଡି ବିଜେପି ଭିତିରିଆ ଏକ ଅଛନ୍ତି । ବିଜେପିର କେନ୍ଦ୍ରୀୟ ନେତାମାନେ ଯେଉଁଭଳି ଆଭିମୁଖ୍ୟ ବିଜେଡି ପ୍ରତି ରଖିଛନ୍ତି ସେଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଉଭୟଙ୍କ ମେଣ୍ଟ ହେବ । ବିଜେଡି ବିଜେପି ମେଣ୍ଟ ହେଲେ ସେମାନେ ଭାବୁଛନ୍ତି ଭୋଟ କଂଗ୍ରେସକୁ ଚାଲିଯିବ, ତେଣୁ ସେମାନେ ଭିତିରିଆ ମେଣ୍ଟ କରିବେ ।"