ବାଲେଶ୍ବର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ସମାଜରେ ଅନେକ ଲୋକ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ସେହିପରି ସମାଜସେବାକୁ ଜୀବନର ବ୍ରତ କରିଥିବା ଜଣେ ଯୁବକ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ପ୍ରିନ୍ସ ଆର୍ଯ୍ୟନ । ତାଙ୍କ ଘର ବାଲେଶ୍ବର ଜିଲ୍ଲାର ପୁଲବଜାର ଅଞ୍ଚଳରେ । ପେଶାରେ ଜଣେ ସେଫ୍ ବା ରୋଷେୟା ହୋଇଥିବା ବେଳେ ନିଶା ତାଙ୍କର ସମାଜ ସେବା । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେସହାରାମାନଙ୍କ ପାଇଁ ସାହାରା ପାଲଟି ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ପ୍ରିନ୍ସ ଆର୍ଯ୍ୟନ । ପିଲାବେଳୁ ଲୋକମାନଙ୍କ ସେବା କରିବାରେ ପ୍ରିନ୍ସଙ୍କର ରହିଥିଲା ଦୁର୍ବଳତା । ପାଖରେ ସେତିକି ସମ୍ବଳ ନଥିବା ବେଳେ ଇଚ୍ଛା ଥିଲେ ମଧ୍ୟ ଲୋକମାନଙ୍କୁ ସେବା ଯୋଗାଇ ପାରୁ ନଥିଲେ । ସେଥିପାଇଁ ଯେତେବେଳେ ସେ ରୋଜଗାର ଆରମ୍ଭ କରିଥିଲେ ସେତେବେଳେ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ଅଣ୍ଟା ଭିଡିଥିଲେ ।
ମହାମାରୀ କୋଭିଡ ସମୟରେ ଅସହାୟ ଲୋକମାନଙ୍କୁ ହୋଟେଲରୁ ରୋଷେଇ କରି ଖାଦ୍ୟ ଯୋଗାଇ ଦେଇଥିଲେ । ପରେ ଏହି କାର୍ଯ୍ୟରେ ସେ ବେଶ ଆନନ୍ଦ ଅନୁଭବ କରିବା ପରେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ମନ ବଳାଇଥିଲେ । ନିଜର ସେବା ମନୋବୃତ୍ତି ପାଇଁ ସେ ଜିଲ୍ଲା ମେଡିକାଲରେ ରୋଗୀଙ୍କ ଅସୁବିଧା ବିଷୟରେ ଜାଣିବାକୁ ପାଇଥିଲେ । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବେସାହାରା ହୋଇ ଅନେକ ଲୋକ କେଉଁଠି ମେଡିସିନ ମିଳିବ, କେଉଁଠି ଡାକ୍ତର ଦେଖାଇବାକୁ ହେବ ସେସବୁର ସମସ୍ୟା ଭୋଗୁଥିବା ପ୍ରିନ୍ସ ଜାଣି ସେଠାରେ ପହଞ୍ଚି ଲୋକଙ୍କୁ ସାହାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ରକ୍ତ ପାଇବାକୁ ଆଉ ରହିବନି ଚିନ୍ତା, ଲଞ୍ଚ ହେଲା ଆପ୍