ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 3 hours ago

ETV Bharat / entertainment

ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଦାଦା ସାହେବ ଫାଲକେ’, ଦୁର୍ଗାପୂଜାରେ ହେବେ ସମ୍ମାନିତ - Mithun Chakraborty

Mithun Chakraborty To Get 'Dadasaheb Phalke': ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ସମ୍ମାନଜନକ ‘ଦାଦା ସାହେବ ଫାଲକେ’ ପୁରସ୍କାର । ଅକ୍ଟୋବର 8 ତାରିଖରେ ହେବେ ସମ୍ମାନିତ । ଅଧିକ ପଢନ୍ତୁ

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ସମ୍ମାନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ସମ୍ମାନ (ETV Bharat Odisha)

ନୂଆଦିଲ୍ଲୀ: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ରେ ସମ୍ମାନିତ ହେବେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାମାସ (ଅକ୍ଟୋବର) 8 ତାରିଖରେ ଆୟୋଜିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ମିଥୁନ ଏହି ସମ୍ମାନ ଗ୍ରହଣ କରିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଦାଦା ସାହେବ ଫାଲକେ’ ହେଉଛି ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ । ହିନ୍ଦୀ ସମେତ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ମିଥୁନ ଦାଦା । ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 350 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି,'' ଭାରତୀୟ ସିନେମାରେ ମିଥୁନ ଦାଙ୍କ ଉଲ୍ଲେଖନୀୟ ଯାତ୍ରା ଆଗାମୀ ପିଢିଙ୍କୁ ପ୍ରେରଣା ଯୋଗାଇବ । ଦାଦାସାହେବ ଫାଲକେ ଜୁରି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଛନ୍ତି । ଭାରତୀୟ ସିନେମାରେ ତାଙ୍କର ବଳିଷ୍ଟ ଅବଦାନ ପାଇଁ ଏହି ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯିବ । ଏହା ଘୋଷଣା କରିଥିବାରୁ ମୁଁ ଗର୍ବିତ । ଆସନ୍ତା ଅକ୍ଟୋବର 8 ତାରିଖରେ 70 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ସମ୍ମାନିତ କରାଯିବ । ''

  • ବଲିଉଡରେ ମିଥୁନଙ୍କ ଡେବ୍ୟୁ:

1976 ମସିହାରେ ମ୍ରିନାଲ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମ୍ରିଗୟା’ରେ ବଲିଉଡରେ ଡେବ୍ୟୁ କରିଥିଲେ ମିଥୁନ । ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । 1982 ମସିହାରେ ଚଳଚ୍ଚିତ୍ର ‘ଡିସ୍କୋ ଡ୍ୟାନ୍ସର’ରେ ତାଙ୍କର ଟିଟୁଲାର ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ବକ୍ସ ଅଫିସରେ ଏହି ଫିଲ୍ମ ସଫଳତା ପାଇଥିଲା । 1990 ମସିହାରେ ରିଲିଜ ହୋଇଥିଲା ଚଳଚ୍ଚିତ୍ର ‘ଅଗ୍ନିପଥ’ ପାଇଁ ତାଙ୍କୁ ବେଶ ପ୍ରଶଂସା ମଧ୍ୟ କରାଯାଇଥିଲା । ଅନେକ ଡ୍ୟାନ୍ସ ରିଆଲିଟି ସୋ’ରେ ମଧ୍ୟ ସେ ନଜର ଆସିଛନ୍ତି । ଚଳିତବର୍ଷ ତାଙ୍କୁ ଦେଶରେ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା ।

80 ଦଶକରେ ମିଥୁନ (ETV Bharat Odisha)
  • 80 ଦଶକର ହିରୋ ମିଥୁନ ଦା:-

80 ଦଶକରେ ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେହି ସମୟରେ ସେ "ଡିସ୍କୋ ଡାନ୍ସର୍", "ଡ୍ୟାନ୍ସ ଡ୍ୟାନ୍ସ", "ପ୍ୟାର୍ ଝୁକତା ନେହିଁ", "କସମ ଦିୟା କରନେ ୱାଲ୍ କି" ଏବଂ "କମାଣ୍ଡୋ" ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ଗୋଟିଏ ଦିନରେ ଚାରିଟି ଚଳଚ୍ଚିତ୍ରର ସୁଟିଂରେ ସେ କାମ କରୁଥିଲେ । ପ୍ରଶଂସକମାନେ ତାଙ୍କୁ 'ଡ୍ୟାନ୍ସ ଷ୍ଟାର' ଏବଂ 'ଡିସ୍କୋ ଡାନ୍ସର୍'ର ମୋନିକର୍ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମିଥୁନ-ଉଷାଙ୍କୁ ପଦ୍ମ ଭୂଷଣ ପୁରସ୍କାର, ଖୁସିବ୍ୟକ୍ତ କଲେ ସେଲିବ୍ରିଟି - Celebs Got Padma Bhushan

ଏହା ମଧ୍ୟ ପଢନ୍ତୁ-ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନ; ଫ୍ୟାନ୍ସ-ସମର୍ଥକଙ୍କୁ ଶ୍ରେୟ ଦେଲେ ଅଭିନେତା

  • ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ:-

ଭାରତୀୟ ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ସମ୍ମାନ ହେଉଛି ଭାରତର ସର୍ବୋଚ୍ଚ ସର୍ବୋଚ୍ଚ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ପରଚାଳିତ ‘ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ’ ଦ୍ବାରା ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଏହା ପ୍ରଦାନ କରାଯାଇ ଆସୁଛି । ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ କଳାକାରଙ୍କୁ ଏହି ସମ୍ମାନରେ ସାମ୍ମାନିତ କରାଯାଏ । ଏଥିପାଇଁ ଏକ ଉଚ୍ଚସ୍ତରୀୟ ଚୟନ କମିଟି ମଧ୍ୟ ରହିଛି । ଏହି ସମ୍ମାନରେ ଏକ ସ୍ବର୍ଣ୍ଣପଦ୍ମ, ଉତ୍ତରୀୟ ଚାଦର ସହ 10 ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ରାଶି ପ୍ରଦାନ କରାଯାଏ ।

  • ଦାଦା ସାହେବ ଫାଲକେ ସମ୍ମାନର ଆରମ୍ଭ:-

1969 ମସିହାରେ ପ୍ରଥମ କରି ଭାରତ ସରକାର ଏହି ସମ୍ମାନ ପ୍ରଦାନ ଆରମ୍ଭ କରିଥିଲେ । 1913 ରେ ପ୍ରଥମ ଭାରତୀୟ ଚଳଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ନିର୍ମାଣ କରି ଭାରତୀୟ ସିନେମାରେ କ୍ରମବିକାଶରେ ଏକ ବଳିଷ୍ଠ ପଦାଙ୍କ ଛାଡିଥିବା ପ୍ରଖ୍ୟାତ ସିନେ ନିର୍ମାତା ଓ ନିର୍ଦ୍ଦେଶକ ଦାଦାସାହେବ ଫାଲକେଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ସମ୍ମାନର ଆରମ୍ଭ କରାଯାଇଥିଲା । ଯାହା ସେବେଠାରୁ ପ୍ରତି ବର୍ଷ ପ୍ରଦାନ କରାଯାଇ ଆସୁଛି ।

  • କିଏ ପ୍ରଥମେ ପାଇଥିଲେ ଏହି ସମ୍ମାନ:-

70 ଦଶକର ଲୋକପ୍ରିୟ ଅଭିନେତ୍ରୀ ଦେବିକା ରାଣୀ 17ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ପ୍ରଥମ ଥର ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ବର୍ଷ 2023 ସୁଦ୍ଧା, 53 ଜଣ ବିଶିଷ୍ଟ ଅଭିନେତା ଅଭିନେତ୍ରୀ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହି ତାଲିକାରେ ଏବେ ମିଥୁନ ଚକ୍ରବର୍ତ୍ତୀଙ୍କ ନାମ ଯୋଡି ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 3 hours ago

ABOUT THE AUTHOR

...view details